ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ନିଆରା ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା’ କାନିରେ କନକ ଅଞ୍ଜୁଳି ବନ୍ଧାଯାଏ, ସେହିପରି ମାଦୁର୍ଗାଙ୍କୁ ବିଦାୟ ବେଳେ ମଧ୍ୟ ସମାନ ପରମ୍ପରା ଦେଖିବାକୁ ମିଳେ।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହି ଦୁର୍ଗା ପୂଜା ମଣ୍ଡପରେ ଦେଖିବାକୁ ମିଳେ ନିଆରା ପରମ୍ପରା। କାନିରେ କନକ ଅଞ୍ଜୁଳି ମାନ୍ଧି ମା’ ଦୁର୍ଗାଙ୍କୁ ଦିଆଯାଏ ମେଲାଣି। ଏହି ସମୟରେ ଅଞ୍ଚଳର ସବୁ ଝିଅ ଶାଶୂଘରୁ ବାପଘରକୁ ଆସିଥାନ୍ତି। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଝିଅକୁ ବାପଘରେ ନାନାଦି ସୁସ୍ଵାଦୁ ବ୍ୟଞ୍ଜନ ଅର୍ପଣ କରିଯାଏ

ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟମାନେ ମଧ୍ୟ ଗାଁକୁ ଫେରିଥାନ୍ତି। ବର୍ଷକରେ ଥରେ ସମସ୍ତେ ହୁଅନ୍ତି ଭେଟ। ଦିନର ପୂଜା ପରେ ମାଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି ସାହିର ସମସ୍ତ ପୁରୁଷ ମହିଳା। ଏଠାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜାର ଏକ ନିଆରା ପରମ୍ପରା ରହିଛି। ଅପରାଜିତା ଗଛର ଲଟାକୁ ମାଙ୍କ ଚରଣରେ ସମର୍ପଣ କରାଯାଏ। ଏହି ଅପରାଜିତା ଲଟାକୁ ନୂଆ କପଡ଼ାରେ ଗୁଡ଼ାଇ ସମସ୍ତେ ହାତରେ ବାନ୍ଧିଥାନ୍ତି।

ଅପରାଜିତା, ଯାହାର କେବେ ପରାଜୟ ନାହିଁ ଏହି ସନ୍ଦେଶ ଦେଇଥାଏ ଲତା। କୁହାଯାଏ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ରାବଣକୁ ବଦ୍ଧ କରିବାକୁ ଲଙ୍କା ଗମନ କରିଥିଲେ ସେତେବେଳେ ସେ ଦେବୀ ଦୁର୍ଗାଙ୍କ ନିକଟରେ ଅପରାଜିତା ପୂଜା କରିଥିଲେ। ଫଳରେ ଦୁଷ୍ଟ ଦାନବ ରାବଣକୁ ନିଧନ କରିବାକୁ ଦେବୀ ଦୁର୍ଗା ତାଙ୍କୁ ଶକ୍ତି ପ୍ରଦାନ କରିଥିଲେ। ସେଥିପାଇଁ ସାହିର ସମସ୍ତ ଲୋକେ ସେମାନଙ୍କର ରିଷ୍ଟ ଖଣ୍ଡନ ପାପ ହରଣ ପାଇଁ ଏହି ସମର୍ପିତ ପୂଜା କରିଥାନ୍ତି। ଏହାପରେ ଆରମ୍ଭ ହୁଏ ସିନ୍ଦୁର ଅବିର ଖେଳ।

ମାଙ୍କ ଚରଣରେ ଅଭିମନ୍ତ୍ରିତ ହୋଇଥିବା ସିନ୍ଦୂର ଅବିରକୁ ନେଇ ଖେଳ କରାଯାଏ। ମହିଳାମାନେ ପରସ୍ପରକୁ ସିନ୍ଦୂର ବୋଳନ୍ତି ପୁରୁଷ ମାନେ ପରସ୍ପରକୁ ଅବିର ବୋଳି ଉତ୍ସବ ମନାନ୍ତି। ଯେତେବେଳେ ବିସର୍ଜନ ହେବାକୁ ମାପୂଜା ମଣ୍ଡପ ଛାଡନ୍ତି ସେତେବେଳେ ଦେଖାଯାଏ ଏକ ଭାବବିହ୍ଵଳ ମୁହୁର୍ତ୍ତ। ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି ମା

ସେମିତି ଏହି ବଙ୍ଗୀୟ ମହିଳାମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ଦେବାବେଳେ କାନିରେ କନକ ଅଞ୍ଜୁଳି ବାନ୍ଧି ଦିଅନ୍ତି। ମେଢ଼ ଉଠେ ବିସର୍ଜନ ଘାଟକୁ। ଲୁହ କୋହରେ ପୁରିଉଠେ ସାରା ପରିବେଶ। କାନ୍ଦ ବୋବାଳିରେ ପ୍ରତିଧ୍ଵନିତ ହୁଏ ପୁରା ସାହିଟା ସାରା। ପ୍ରତିବର୍ଷ ବଙ୍ଗାଳି ସାହିର ଏହି ଅନନ୍ୟ ପରମ୍ପରାକୁ ଦେଖିବାକୁ ପଟ୍ଟାମୁଣ୍ଡାଇ ସହରରୁ ହଜାର ହଜାର ଲୋକ ଆସିଥାନ୍ତି। ହେଲେ କରୋନା କଟକଣାରେ ଏଥର କେହି ଦେଖଣାହାରୀ ଆସିନାହାନ୍ତି

Tags: #Trasition #Culture #Festival #Durgapuja #Dashera #kendrapara

Comment