ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ମହାମାରୀ ଯୋଗୁଁ ୨ ବର୍ଷ ଧରି ପ୍ରବାସୀ ଓଡ଼ିଆଙ୍କ ସମସ୍ତ ପର୍ବ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା। କଟକଣା ଉଠିବା ପରେ ସବୁ ପର୍ବକୁ ଧୁମଧାମରେ ଆୟୋଜନ କରୁଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ। ଏଠାରେ ଥିବା ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ଆନୁକୂଲ୍ୟରେ ଚଳିତ ବର୍ଷ ଦୁର୍ଗାପୂଜା ପାଳନ କରାଯାଇଛି।

ସପ୍ତମୀ ଦିନଠାରୁ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା। ଦଶପଲ୍ଲା ହିଲସ ନିକଟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆଙ୍କ ସମେତ ସ୍ଥାନୀୟ ଅଣଓଡ଼ିଆମାନେ ମିଶି ଦୁର୍ଗାପୂଜାର ଆୟୋଜନ କରିଥିଲେ। ଏଠାରେ ୧୯୭୯ ମସିହାଠାରୁ ଦୀର୍ଘ ୪୩ ବର୍ଷ ଧରି ବିନା ବାଧାବିଘ୍ନରେ ଦୁର୍ଗାପୂଜା ପାଳନ କରାଯାଉଛି। ସଂଗଠନର ସମସ୍ତ ଓଡ଼ିଆ ପରିବାରର ସଦସ୍ୟ ସାଜସଜ୍ଜାଠାରୁ ଆରମ୍ଭ କରି ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଏଥର ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଛି। ସଂଗଠନ ସଦସ୍ୟ ନିଜେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଓଡ଼ିଶାରୁ କଳାକାରଙ୍କୁ ନେଇ ମେଲୋଡି ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରିଥିଲେ।

ଚାରିଦିନ ଧରି ଆୟୋଜିତ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ ପରିଚାଳନା କରିଥିବାବେଳେ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

Tags: #DurgaPuja #Dashera #Vishakhapatnam #MigrantOdia

Comment