ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କୁମାର ପୂର୍ଣ୍ଣିମା। କୁମାରୀମାନଙ୍କ ପାଇଁ ଏହା ହେଉଛି ଏକ ବଡ଼ ପର୍ବ। ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି। ଗୁଆ, ଖଇ, ଫଳ, ପୁଷ୍ପ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି। କୁହାଯାଏ ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ପାଇଁ ସନ୍ଧ୍ୟାରେ ଚନ୍ଦ୍ର ପୂଜା କରିଥାନ୍ତି।

ସଞ୍ଜ ହେଲେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି। ଜହ୍ନ ଉଇଁଲେ ଜହ୍ନିଫୁଲ, ଫଳ, ଖଇ ଆଦି ଆଞ୍ଜୁଳି ଟେକନ୍ତି। ଏହାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତି।

ଶେଷରେ ଗୁରୁଜନମାନଙ୍କ ଆର୍ଶୀବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି। ଏହି ପର୍ବଟି ହେଉଛି କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ। କୁମାରମାନେ ବିଶେଷକରି କବାଡ଼ି, ପଶାଖେଳ ଓ ତାସ୍‌ ଖେଳରେ ମଜି ରୁହନ୍ତି। କୁମାରୀମାନେ ଲୁଚକାଳି, ପୁଚି ଆଦି ଖେଳ ଖେଳି ଥା’ନ୍ତି। କୁମାରୀମାନଙ୍କ ‘କୁଆଁର ପୁନେଇଁ ଜହ୍ନ ଲୋ’ ଗୀତରେ ସମଗ୍ର ପୁରପଲ୍ଲୀ କମ୍ପି ଉଠେ।

Tags: #Tradition #Festival #Culture #KumarPurnima #Celebration

Comment