ଓଡ଼ିଶାଲାଇଭ୍ ବ୍ୟୁରୋ

“ମୋର ଇଣ୍ଟେନସନ କ୍ଲିୟର ଏବଂ ପିଓର ଥିଲା। ମୁଁ କେବେ ସମୟ ଦେଖି ପାଠପଢ଼ି ନାହିଁ। କିନ୍ତୁ ଗୋଟିଏ ବିଷୟକୁ ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ପଢ଼ିଥାଏ। ମୁଁ ସବୁବେଳେ ହାର୍ଡଓ୍ୱାର୍କ ସହ ସ୍ମାର୍ଟଓ୍ୱାର୍କକୁ ଗୁରୁତ୍ଵ ଦେଇଆସିଛି ”, କୁହନ୍ତି ଓଡ଼ିଶା ସିଭିଲ ସର୍ଭିସରେ ଟପ୍ପର ହୋଇଥିବା ତେଜସ୍ଵିନୀ ବେହେରା।

‘ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ୨୦୨୦-୨୧ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ହିଁ ଟପ୍ପର ହୋଇଛନ୍ତି ତେଜସ୍ଵିନୀ ବେହେରା। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୨୦୨୦ ମସିହାରୁ ନିଜକୁ ପ୍ରସ୍ତୁତ କରୁଥିଲେ ସେ। ଭୁବନେଶ୍ଵର ୟୁନିଟ ୮ରେ ରହୁଥିବା ତେଜସ୍ଵିନୀଙ୍କୁ ଏହି ସଫଳତା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ୁଥିଲା ବୋଲି ସେ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ତେଜସ୍ଵିନୀ କୁହନ୍ତି ଯେ, ସେ ପରୀକ୍ଷାକୁ ଭଲ ଭାବେ ବୁଝିଥିଲେ। ପରୀକ୍ଷାରେ କେମିତି ପ୍ରଶ୍ନ ଆସିଥାଏ। ଓପିଏସସି ପରୀକ୍ଷାର୍ଥୀମାନଙ୍କଠାରୁ କେମିତି ଉତ୍ତର ଆଶା ରଖିଥାଏ। ଏ ସମସ୍ତ ଦିଗକୁ ଧାନ ଦେଇ ସେ ନିଜକୁ ଓଡ଼ିଶା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ କରୁଥିଲେ। ଦିନକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ପଢ଼ୁଥିଲେ। କିନ୍ତୁ ପ୍ରିଲିମ୍ ଏବଂ ମେନସ ପରୀକ୍ଷା ବେଳକୁ ଏଥିପାଇଁ ଅଧିକରୁ ଅଧିକ ସମୟ ଦେବାକୁ ପଡ଼ିଥିଲା।

କ’ଣ ଥିଲା ତେଜସ୍ଵିନୀ ଷ୍ଟ୍ରାଟେଜି?

  • ଓଡ଼ିଶା ସଭିଲ ସର୍ଭିସ ପରୀକ୍ଷା ପାଇଁ ଅଧିକରୁ ଅଧିକ ପରିଶ୍ରମ କରୁଥିଲେ
  • ହାର୍ଡଓ୍ୱାର୍କ ସହ ସ୍ମାର୍ଟଓ୍ୱାର୍କକୁ ଗୁରୁତ୍ଵ ଦେଉଥିଲେ
  • ସିଲାବସର ନିର୍ଦ୍ଧାରିତ ବିଷୟ ବସ୍ତୁକୁ ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ପଢ଼ୁଥିଲେ
  • ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ଟିକିଏ ଭିନ୍ନ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ
  • ମେନସର ସିଲାବସରେ ରହିଥିବା ସମସ୍ତ ବିଷୟବସ୍ତୁର ପ୍ରତିଟି ବିଷୟକୁ ନେଇ ସେ ପ୍ରସ୍ତୁତ କରିଥିଲେ ‘ଡାଏଗ୍ରାମ’
  • ପ୍ରତିଟି ବିଷୟକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ସହ ଯେକୌଣସି ପ୍ରଶ୍ନ ଆସିଲେ ଉତ୍ତର ଦେବାକୁ ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥିଲେ
  • ମେନସ ସମୟରେ ପ୍ରେଜେଣ୍ଟେସନ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ
  • ସବୁ ବିଷୟ ସମ୍ପର୍କରେ ଡାଏଗ୍ରାମ ଏବଂ ଡାଟା ପ୍ରସ୍ତୁତ କରିଥିଲେ ତେଜସ୍ଵିନୀ
  • ଓପିଏସସିର ପୂର୍ବ ବର୍ଷର ପ୍ରଶ୍ନକୁ ଦେଉଥିଲେ ଗୁରୁତ୍ଵ

ଆଗକୁ ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସିଭିଲ ସର୍ଭିସ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ କଠୋର ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଫଳତା ପାଇବା ପର୍ଯ୍ୟନ୍ତ ନିଜର ଶତପ୍ରତିଶତ ଦେବାକୁ ଚେଷ୍ଟା କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ଆତ୍ମସନ୍ତୋଷ ନମିଳିଛି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନହାନ୍ତି ସେପର୍ଯ୍ୟନ୍ତ ଧୈର୍ଯ୍ୟର ସହ ନିଜର ଚେଷ୍ଟା ଜାରି ରଖିବା ଦରକାର।

Tags: #OPSC #OAS #OCS #Exam #Topper #SuccessStory #TejaswiniBehera #Strategy

Comment