ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭିତରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଏନେଇ ବୁଧବାରଠାରୁ ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା ବର୍ଗରେ ଜୋନାଲ ସ୍ତରୀୟ ମ୍ୟାଚ ଆରମ୍ଭ ହୋଇଛି। ବିଭିନ୍ନ ବ୍ଲକରୁ ଆସିଥିବା ଟିମଗୁଡ଼ିକ ମଧ୍ୟରେ ଏହି ଜୋନ ସ୍ତରୀୟ ମ୍ୟାଚ କରାଯାଉଛି।

ବୁଧବାର ଦିନ ବଣାଇଁସ୍ଥିତ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜୋନାଲ ସ୍ତରୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଏହି ମ୍ୟାଚ ଶୁଭାରମ୍ଭ କରିଥିଲେ।

ବାଳିକା ବର୍ଗରେ ବଣାଇଁ, ଗୁରୁଣ୍ଡିଆ ଏବଂ ଲହୁଣୀପଡ଼ା ବ୍ଲକରୁ ଆସିଥିବା ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରଥମେ ବଣାଇଁ ଓ ଲହୁଣୀପଡ଼ା ଟିମ ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ବଣାଇଁ ୧-୦ ଗୋଲରେ ଲହୁଣୀପଡ଼ାକୁ ହରାଇ ବିଜୟୀ ହୋଇଥିଲା। ପରେ ବଣାଇଁ ଓ ଗୁରୁଣ୍ଡିଆ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଗୁରୁଣ୍ଡିଆ ଟିମ୍ ବଣାଇଁକୁ ୧-୦ ଗୋଲରେ ପରାଜିତ କରି ବିଜୟୀ ହୋଇଥିଲା।

ସେହିପରି ବାଳକ ବର୍ଗରେ ବଣାଇଁ, କୋଇଡ଼ା, ଲହୁଣୀପଡ଼ା ଓ ଗୁରୁଣ୍ଡିଆ ଟିମ୍ ଭାଗ ନେଇଥିଲେ। ପ୍ରଥମେ ବଣାଇଁ ଓ କୋଇଡ଼ା ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଡ୍ର ହୋଇଥିଲା। ପରେ କୋଇଡ଼ା ପେନାଲ୍ଟି ସୁଟ୍ ଆଉଟରେ ବଣାଇଁକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ ଗୁରୁଣ୍ଡିଆ ଓ ଲହୁଣୀପଡ଼ା ଟିମ୍ ମଧ୍ୟରେ ହୋଇଥିଲା। ଗୁରୁଣ୍ଡିଆ ଟିମ୍ ଲହୁଣୀପଡ଼ାକୁ ୨-୦ ଗୋଲରେ ପରାଜିତ କରି ମ୍ୟାଚ ଜିତିଥିଲା।

ବାଳକ ବର୍ଗରେ ପ୍ରଥମ ମ୍ୟାଚ ଜିତିଥିବା କୋଇଡ଼ା ଓ ଦ୍ୱିତୀୟ ମ୍ୟାଚ ଜିତିଥିବା ଗୁରୁଣ୍ଡିଆ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଯିବା ଲାଗି ମ୍ୟାଚ ହୋଇଥିଲା। ଏଥିରେ କୋଇଡ଼ା ଟିମ ୨-୦ ଗୋଲରେ ବିଜୟୀ ହୋଇଥିଲା।

୧୨ ତାରିଖରୁ ଆରମ୍ଭ ହୋଇଥିବା ଜୋନାଲ ସ୍ତରୀୟ ମ୍ୟାଚ ୧୫ ତାରିଖ ଯାଏଁ ଚାଲିବ। ଶେଷରେ କୁତ୍ରାଠାରେ ୧୭ ତାରିଖରେ ଜିଲ୍ଲା ସ୍ତରୀୟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ବଣାଇଁ ବ୍ଲକ ଉପାଧ୍ୟକ୍ଷା ମୀନତି ବେହେରା, ବଣାଇଁ ବିଧାୟକଙ୍କ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀଙ୍କ ସହିତ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ‘ଫୁଟବଲ ଫର ଅଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତା’ଛଡ଼ା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପର ଆୟୋଜନ କରାଯାଇଛି। ତେଣୁ ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଉଛି।

ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସ୍ତରରେ ପିଲାଙ୍କୁ ଖେଳିବା ଲାଗି ଫୁଟବଲ ପ୍ରଦାନ କରାଯାଉଛି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା ସହ ଭବିଷ୍ୟତର ଫୁଟବଲ ତାରକାମାନଙ୍କୁ ପ୍ରୋତ୍ସାହିତ କରାଯାଇ ପାରିବ।

Tags: #Sundargarh #Football #Tournament #Students

Comment