ଓଡ଼ିଶାଲାଇଭ୍ ବ୍ୟୁରୋ

ବିଫଳତାରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହ ପରିସ୍ଥିତକୁ ସାମ୍ନା କରିବା ଏବଂ ସଫଳ ହେବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଠା କରିବା। ନିଷ୍ଠାର ସହ ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି କୁହନ୍ତି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ।

“ଦିନ ଥିଲା ବିଫଳତା ମୋ ଜୀବନର ଏକ ଅଂଶ ପାଲଟି ଯାଇଥିଲା। ଏମିତି ବି ସମୟ ଆସିଛି ଯେତେବେଳେ ମୁଁ ଅସହାୟ ହୋଇପଡ଼ିଛି। ଜବୀନରେ ହାରିଯାଇଥିବା ଅନୁଭବ କରିଛି। କିନ୍ତୁ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରିଛି। ସଫଳ ହେବା ପାଇଁ ନିଷ୍ଠାର ସହ ଚେଷ୍ଟା କରିଛି। ଆଜି ମୋ ପରିଶ୍ରମର ଫଳ ମୋତେ ମିଳିଛି”, କହନ୍ତି ଶୁଭଙ୍କରୀ ସୁଦେଷ୍ଣା ଦାଶ।

ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ କରିବା ପରେ ଡାକ୍ତରୀ ପାଠପଢ଼ିବାକୁ ଚିନ୍ତା କରିଥିଲେ ସୁଦେଷ୍ଣା। କିନ୍ତୁ ଅଳ୍ପ ନମ୍ବର ଯୋଗୁଁ ସଫଳ ହୋଇପାରି ନଥିଲେ। ଏହା ପରେ ସେ ଭେଟେନାରୀ ପଢ଼ିଥିଲେ। ୨୦୧୮ ମସିହାରେ ଭେଟେନାରୀ ପାସ କରିବା ପରେ ଭେଟେନାରୀ ଗାଏନାକଲୋଜିରେ ପିଜି କରିଥିଲେ। ପାଠପଢ଼ା ସମୟରେ ସିଭିଲ ସର୍ଭିସ ପରୀକ୍ଷା ଦେବା କଥା ଚିନ୍ତା କରିଥିଲେ ଶୁଭଙ୍କରୀ ସୁଦେଷ୍ଣା।

୨୦୧୯ ମସିହାରେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ ପରୀକ୍ଷା ଦେଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ସୁଦେଷ୍ଣା। ଏହା ପରେ ସେ ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରିଥିଲେ। ଚାକିରି ସମୟରେ ପୁନର୍ବାର ସଭିଲ ସର୍ଭିସ ପରୀକ୍ଷା ଦେବାକୁ ନିଜ ଇଚ୍ଛାଶକ୍ତିକୁ ଦୃଢ଼ କରିଥିଲେ ଏବଂ ଚାକିରି ଛାଡ଼ି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

“ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ପାଇଁ ଦେଢ଼ ବର୍ଷ ଘରଠାରୁ ଦୂରରେ ରହି ନିଜକୁ ପ୍ରସ୍ତୁତ କରିଥିଲି। କିନ୍ତୁ ଭୁବନେଶ୍ଵରରେ ମେନ୍ସ ଏବଂ ସାକ୍ଷାତକାର ପାଇଁ ପ୍ରସ୍ତୁତି କରିଥିଲି। ଦିନ ରାତି ମୋତେ ପରିଶ୍ରମ କରିବାକୁ ପଡ଼ୁଥିଲା”, କୁହନ୍ତି ସିଭିଲ ସର୍ଭିସରେ ସଫଳ ହୋଇଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ।

ପାଠପଢ଼ା ସମୟରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୋଚିଂ ନେଉଥିଲେ ସୁଦେଷ୍ଣା। କିନ୍ତୁ ସେ ସମୟରେ କୌଣସି ସିଲାବସ ଏବଂ ପ୍ରଶ୍ନକୁ ଭଲ ଭାବେ ବୁଝିପାରୁନଥିଲେ ବୋଲି ସୁଦେଷ୍ଣା କୁହନ୍ତି।

“ମୁଁ କୌଣସି ବିଷୟକୁ ଗୋଟିଏ ଥରରେ ମନେ ରଖିପାରେ ନାହିଁ। ତେଣୁ ଗୋଟିଏ ବିଷୟକୁ ମତେ ବାରମ୍ବାର ପଢ଼ିବାକୁ ପଡ଼ୁଥିଲା। ବୁଝିବା ପର୍ଯ୍ୟନ୍ତ ଗୋଟିଏ ବିଷୟକୁ ପଢ଼ୁଥିଲି। ପଢ଼ା ସହିତ ଲେଖା ମଧ୍ୟ ଅଭ୍ୟାସ କରୁଥିଲି”, କହନ୍ତି ଶୁଭଙ୍କରୀ ସୁଦେଷ୍ଣା ଦାଶ।

ଯେ କୌଣସି ବିଷୟକୁ ଆଗ୍ରହର ସହିତ ପଢ଼ିଲେ ସହଜରେ ମନେ ରୁହେ। ଯଦି ଜଣକର କୌଣସି ବିଷୟ ପ୍ରତି ଆଗ୍ରହ ନଥିବ ସେ ଯେତେ ପଢ଼ିଲେ ମଧ୍ୟ ସେହି ବିଷୟ ବୁଝିବା କଷ୍ଟକର। ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପାଠପଢ଼ାରେ ନିଜକୁ ଅନ୍ୟ ସହ ତୁଳନା କରନ୍ତି ଏବଂ ବିଫଳ ହେଲେ ଭାଙ୍ଗିପଡ଼ନ୍ତି। ଏପରି ନକରି ବୁଝିପାରୁନଥିବା ବିଷୟକୁ ବାରମ୍ବାର ବୁଝିବା ପର୍ଯ୍ୟନ୍ତ ପଢ଼ିବାକୁ ପରାମର୍ଶ ଦିଅନ୍ତି ସୁଦେଷ୍ଣା।

“ଜୀବନରେ ଯେକୌଣସି କାମରେ ସଫଳତା ପାଇଁ ପରିବାର ତଥା ଅନ୍ୟମାନଙ୍କର ସହଯୋଗ ଏବଂ ମୋଟିଭେସନର ଆବଶ୍ୟକତା ରହିଛି। ଓଡ଼ିଶା ସିଭିଲି ସର୍ଭିସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ହାସଲ କରିବା ମୋ ପାଇଁ ସ୍ଵପ୍ନ ଥିଲା। ଏହା ମୋ ଜୀବନର ଦ୍ଵିତୀୟ ସଫଳତା। ଏହି ସଫଳତା ପରେ ହଜି ଯାଇଥିବା ମୋର ଆତ୍ମବିଶ୍ଵାସ ପୁଣି ଫେରିଆସିଛି”, କୁହନ୍ତି ଶୁଭଙ୍କରୀ ସୁଦେଷ୍ଣା ଦାଶ।

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ସୁଦେଷ୍ଣାଙ୍କ ଟିପ୍ସ

  • କୌଣସି ବିଷୟକୁ ବାରମ୍ବାର ପଢ଼ିବା। ବୁଝିବା ପର୍ଯ୍ୟନ୍ତ ପଢ଼ିବା ଏବଂ ବୁଝି ସାରିବା ପରେ ମଧ୍ୟ ପଢ଼ିବା ଆବଶ୍ୟକ
  • ଥରେ ଦୁଇ ଥରରେ କୌଣସି ବିଷୟ ବୁଝାପଡ଼ୁ ନଥିଲେ ୧୦ ଥର ପଢ଼ିବା ଦରକାର
  • ପାଠପଢ଼ାରେ ନିଜକୁ ଅନ୍ୟ ସହ ତୁରନ୍ତା କରିବା ନାହିଁ
  • ବିଫଳତାରେ ହାରି ନଯାଇ ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା କରିବା ଦରକାର
  • ଧୈର୍ଯ୍ୟ ହିଁ ମଣିଷକୁ ସଫଳ ପଥ ଦେଖାଇଥାଏ
  • ମେନସ୍ ପରୀକ୍ଷା ପାଇଁ ଟ୍ରାଟେଜି ହେଉଛି କେବଳ ଲେଖିବା
  • ଯେତେ ସମ୍ଭବ ଲେଖା ଅଭ୍ୟାସ କରିବା ଦରକାର। ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା ଦେବା ଭଳି ଲେଖା ଅଭ୍ୟାସ କରିବା ଦରକାର
  • ପୂର୍ବରୁ ଅଭ୍ୟାସ କଲେ ପରୀକ୍ଷା ଦେବା ବେଳକୁ ହାତ ସେଟ ହୋଇଯାଇଥାଏ ଏବଂ ଉତ୍ତର ଲେଖିବା ପାଇଁ ଅସୁବିଧା ହୁଏ ନାହିଁ

Tags: #Education #Exam #OCS #OAS #OdishaCivilService #SuccessStory

Comment