ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେପି ଅନୁକମ୍ପା ଭୋଟ ଟାର୍ଗେଟରେ ଥିବାବେଳେ ବିଜେଡିରେ ସୃଷ୍ଟି ହୋଇଛି ଫାଟ। ସବୁଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ତେବେ ସମସ୍ତଙ୍କର ନଜର କାହାର ହେବ ଧାମନଗର ଗଡ଼।

  • ଦଳ ଦୁଇଫାଳ, ପଦାରେ ପଡ଼ିଲା ବିଜେଡି କନ୍ଦଳ
  • ଏଥର ଚତୁର୍ମୁଖୀ ଲଢ଼େଇ
  • ଧାମନଗରବାସୀଙ୍କୁ ଲୁହଭିଜା ଚିଠି ଲେଖି ଭୋଟ ମାଗିଲେ ରାଜୁ ଦାସ

ପାଖେଇ ଆସୁଛି ନିର୍ବାଚନ ତାରିଖ। ଉପନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ଧାମନଗର ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ ଏଥିରେ ଯୋଡ଼ି ହୋଇଛନ୍ତି ଆଉ ଏକ ଅଙ୍କ। ଯାହାକୁ ନେଇ ଧାମନଗର ବିଧାନସଭା ଉପନିର୍ବାଚନର ଚିତ୍ର ବଦଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳରୁ ଟିକେଟ ନପାଇ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି।

ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ରାଜେନ୍ଦ୍ର ଦାସ

ଧାମନଗର ବିଧାନସଭା ଉପନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସଙ୍କୁ ଦଳ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା। ଯାହାକୁ ନେଇ ରାଜୁ ଦାସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖଦେଇଥିଲା।

ରାଜୁ ଦାସଙ୍କ ଉପସ୍ଥିତିରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଦଳର ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ରାଜୁ ଦାସ। କିନ୍ତୁ ରାଜଧାନୀର ଶଙ୍ଖ ଶିବିରରୁ ଭଦ୍ରକ ଫେରିବା ପରେ ବଳିଯାଇଥିଲା ସବୁ ଅଙ୍କ। ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରି ରାଜୁ ଦାସ ସମର୍ଥକଙ୍କ  ସହ ମିଶି ନେଇଥିଲେ ବଡ଼ ନିଷ୍ପତ୍ତି। ଯାହାର ବାସ୍ତବ ଚିତ୍ର ଆଜି ଦେଖିବାକୁ ମିଳିଛି। ବିଜେଡିଠାରୁ ଅଲଗା ହୋଇ ରାଜୁ ଦାସ ସ୍ଵାଧୀନ ଭାବେ ଲଢ଼ିବେ ଧାମନଗର ବିଧାନସଭା ଉପନିର୍ବାଚନ।

ଭୁବନେଶ୍ୱରରୁ ଫେରିବା ପରେ ଲୁହ ଭରା ଚିଠି ଲେଖି ଧାମନଗରସୀଙ୍କୁ ଭୋଟ ମାଗିଥିଲେ ରାଜେନ୍ଦ୍ର ଦାସ। ୨୦୦୯ରେ ବିଜେଡି ଟିକେଟରୁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୨୦୧୯ ମସିହାରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିଥିଲେ ମଧ୍ୟ ଷଡ଼ଯନ୍ତ୍ର କରି ତାଙ୍କୁ ହରାଇ ଦିଆଯାଇଥିବା ଅଭିଯୋଗ କରିଥିଲେ ରାଜୁ ଦାସ। ଲୋକଙ୍କ ସେବା କରିବାକୁ ଛାତ୍ର ଜୀବନରୁ ରାଜନୀତିକୁ ଓହ୍ଲାଇ ଥିବା ରାଜୁ ଦାସ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

ଧାମନଗରରେ କ’ଣ ହେବ ବିଜେଡି ସ୍ଥିତି?

ନିର୍ବାଚନ ଆସିଲେ ଶାସକ ବିଜେଡି ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ସବୁ ମନୋମାଳିନ୍ୟ ଭୁଲି ଏକାଠି ହୋଇ ବିଜୟ ପାଇଁ ଲାଗିପଡ଼େ। କିନ୍ତୁ ଧାନମନଗର ବିଧାନସଭା ଉପନିର୍ବାଚନରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷରୁ ଧାମନଗରରେ ବିଜେଡିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ରାଜେନ୍ଦ୍ର ଦାସଙ୍କୁ ଦଳର ଅଣଦେଖା ମହଙ୍ଗା ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏବେ ଧାମନଗରରେ ବିଜେଡି ଦୁଇ ଫାଳ ହୋଇଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅସନ୍ତୁଷ୍ଟ ରାଜୁ ଦାସ ନିଜର ବିଜୟ ଉପରେ ଫୋକସ କରିବେ ନା ବିଜେଡିକୁ ହରାଇବାକୁ ଚେଷ୍ଟା କରିବେ? ଗଣମାଧ୍ୟମର ଏହିଭଳି କିଛି ପ୍ରଶ୍ନର ଉତ୍ତରରେ ରାଜୁ ଦାସ କହିଛନ୍ତି, ସେ ଧାମନଗର ବାସିନ୍ଦାଙ୍କ ବିକାଶ ପାଇଁ ଲଢ଼ିବେ।

ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ବିଜେଡି କନ୍ଦଳ ଯୋଗୁଁ ଏହାର ସିଧାସଳଖ ଫାଇଦା ଉଠାଇବ ବିଜେପି। ଯଦି ରାଜୁ ଦାସଙ୍କ ଗଣିତ ଠିକ୍ ରୁହେ, ସେ ଧାମନଗରବାସୀଙ୍କ ବିଶ୍ଵାସ ଜିତିବାରେ ସଫଳ ହୋଇପାରନ୍ତି।

ବିଜେପି ଟାର୍ଗେଟରେ ଅନୁକମ୍ପା ଭୋଟ

ଗତ ସେପ୍ଟେମ୍ବର ୧୯ ତାରିଖରେ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ଅକାଳ ବିୟୋଗ ପରେ ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ। ଦଳ ଅନୁକମ୍ପାମୂଳକ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ଗୋଟିଏ ପଟେ ଅନୁକମ୍ପା ଭୋଟ ଆଉ ଗୋଟିଏ ପଟେ ବିଜେଡି କନ୍ଦଳ। ବିଜେପି ଏହାର ଫାଇଦା ଉଠାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କଂଗ୍ରେସର ରହିଛି ବିଜୟ ଆଶା

ଧାମନଗର ମଇଦାନରେ ବିଜୟୀ ହେବାକୁ ବିଜେପି ଏବଂ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବାବେଳେ କଂଗ୍ରେସ ବି ଏହି ମାମଲାରେ ପଛରେ ନାହିଁ। ଧାମନଗର ବିଧାନସଭା ଆସନରୁ ଲଢ଼ିବା ପାଇଁ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରସୋରରେ ଲାଗି ପଡ଼ିଛନ୍ତି।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଥିବାବେଳେ ଏବେ ଏଥିରେ ଆଉ ଏକ ଅଙ୍କ ଜୋଡ଼ି ହୋଇଛି। ତେବେ କାହା ଉପରେ ଭରସା କରିବେ ଧାମନଗର ଭୋଟର ତା’ ଉପରେ ଏବେ ସମସ୍ତଙ୍କ ନଜର।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗତ ୭ ତାରିଖ ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ। ସବୁଦଳର ପ୍ରାର୍ଥୀ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ଭୋରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି।

ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ଘୋଷଣା କରାଯିବ। ସେହି ଦିନ ଜଣାପଡ଼ିବ କାହାର ହେବ ଧାମନଗର।

Tags: #Dhamnagar #ByElection #BJD #BJP #Congress #Swadhin #Politics #OdishaPolitics

Comment