ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଧାମନଗର ବିଧାନସଭା ଉପନିର୍ବାଚନ। ପ୍ରଚାର ପାଇଁ ଜୋରସୋର କସରତ କରୁଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ। ଏହା ମଧ୍ୟରେ ଏହି ତିନି ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକଙ୍କ ତାଲିକା।

ଧାମନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ପକ୍ଷରୁ ୪୦ ଏବଂ ବିଜେପି ପକ୍ଷରୁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଥିବାବେଳେ କଂଗ୍ରେସ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ସବୁଠାରୁ ବଡ଼ କଥା ହେଲା ଏହି ତାଲିକାରେ ଅନେକ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତାକୁ ସାମିଲ କରାଯାଇ ନାହିଁ। ଯାହାକୁ ନେଇ ରାଜ୍ୟ ରାଜନୈତକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେବାକୁ ଲାଗିଛି।

ଅବନ୍ତୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଦଳର ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ,  ପ୍ରଫୁଲ୍ଲ ମଲିକ, ପ୍ରମିଳା ମଲିକ, ପ୍ରତାପ କେଶରୀ ଦେବ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି। ୪ ଜଣ ଅଭିନେତା ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିବେ।

ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡ଼ିଛନ୍ତି ସଞ୍ଜୟ ଦାସ ବର୍ମା। ଏହା ସହିତ ସାଂସଦ ଅନୁଭବ ମହାନ୍ତି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଏହି ତାଲିକାରେ ସାମିଲ କରାଯାଇ ନାହିଁ।

ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ମନ୍ତ୍ରୀ ଏବଂ ବିଜେପିର ଓଡ଼ିଶା ପ୍ରଭାରୀ ପୁରେନ୍ଦେଶ୍ୱରୀ ଓ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ପ୍ରଚାର ମଇଦାନରେ ଧାମନଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବେ।

କଂଗ୍ରେସର ପ୍ରଚାର ତାଲିକାରୁ ବାଦ ପଡ଼ିଲେ ମୋକିମ

ବିଜେଡି ଏବଂ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିବାବେଳେ ଏ କ୍ଷେତ୍ର ପଛରେ ରହିନାହିଁ କଂଗ୍ରେସ। ଦଳ ପକ୍ଷରୁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି। କିନ୍ତୁ ଏହି ତାଲିକାରେ ସାମିଲ ହୋଇନାହାନ୍ତି ମହମ୍ମଦ ମୋକିମ। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି କେନ୍ଦ୍ରୀୟ କଂଗ୍ରେସ ନେତା। ଏହି ତାଲିକାରେ ଅଛନ୍ତି ୮ ଜଣ ବିଧାୟକ ଏବଂ ଜଣେ ସାଂସଦ। ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବେ।

ସବୁଦଳ ଧାମନଗର ଆସନରେ ବିଜୟ ଲକ୍ଷ୍ୟ ନେଇ ନିଜର ନିଜର ରଣକୌଶଳ ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ତେବେ କିଏ ହାରିବ ଏବଂ କିଏ ଧାମନଗର ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର।

Tag: #Politics #OdishaPolitics #StarcampaignersList #DhamnagarByElection #BJD #BJP #Congress

Comment