ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଦଶମ ରାଙ୍କରେ ରହିଛନ୍ତି କଟକ ନିଆଳିର ତପତି ରାଜ। ଓସିଏସ ପରୀକ୍ଷା ପ୍ରସ୍ତୁତି ପାଇଁ ଭଲ ଦରମାରେ ଚାକିରି କରୁଥିବା ତପତିଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ଜୀବନରେ ସଫଳତା ପାଇବା ପାଇଁ ହେଲେ ରିସ୍କ ନେବାକୁ ପଡ଼ିବ ବୋଲି କୁହନ୍ତି ଓସିଏସ ପରୀକ୍ଷାରେ ସଫଳ ହୋଇଥିବା ତପତି ରାଜ।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି ନିଆଳିର ଝିଅ ତପତି ରାଜ। ବେଙ୍ଗାଳୁରୁରେ ଭଲ ପ୍ୟାକେଜରେ ଚାକିରି କରୁଥିବା ତପତିଙ୍କୁ ଓସିଏସ ପରୀକ୍ଷା ପାଇଁ ରିକ୍ସ ନେବାକୁ ପଡ଼ିଥିଲା। ଚାକିରି ସହ ପରୀକ୍ଷା ପ୍ରସ୍ତୁତି କରିବା ସହ ପରବର୍ତ୍ତୀ ସମୟରେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ତାଙ୍କ ପାଇଁ ଉପଯୁକ୍ତ ଥିଲା ବୋଲି ଓଡ଼ିଶାଲାଇଭ୍‌କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଓସିଏସ ପରୀକ୍ଷାରେ ସଫଳତା ହାସଲ କରିଥିବା ତପତି ରାଜ।

“ଗୋଟିଏ ଭଲ ପଦବୀରେ ରହିବା ପରେ ଅନ୍ୟମାନଙ୍କର ଆଟେନ୍ସନ ମିଳେ ଏବଂ ସମ୍ମାନ ମଧ୍ୟ ମିଳେ। ଓସିଏସ ପରୀକ୍ଷାରେ ସଫଳ ହେବା ପରେ ମୁଁ ଏହା ଅନୁଭବ କରିପାରିଛି। ପିଲାଟି ବେଳୁ ଭଲ ପାଠପଢ଼ୁ ଥିଲି। ସ୍ଵପ୍ନ ଥିଲା ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ। ମେଡିକାଲ ପାଠପଢ଼ିବାକୁ ପରୀକ୍ଷା ଦେଇ ମଧ୍ୟ ସଫଳ ହୋଇପାରି ନଥିଲି। କିନ୍ତୁ ଏଥିରେ ଧୈର୍ଯ୍ୟହରା ନହୋଇ ଫାର୍ମା ଚୟନ କରିଥିଲି ଏବଂ ବେଙ୍ଗାଳୁରୁରେ ଏକ ଏମଏନସିରେ ଚାକିରି କରିଥିଲି।”

ପରେ ବୟସ ବଢ଼ିବା ସହ ଆଶା ମଧ୍ୟ ଉଚ୍ଚ ହୋଇଯାଇଥିଲା। ନିଜ ଭିତରେ ରହିଥିବା ଦକ୍ଷତାକୁ ଧୀରେ ଧୀରେ ଅନୁଭବ କରିବାକୁ ଲାଗିଲେ ତପତି। ଏହାରି ମଧ୍ୟରେ ମା’ ବଡ଼ ସ୍ଵପ୍ନ ଦେଖିବା ପାଇଁ ତପତିଙ୍କୁ ଉତ୍ସାହିତ କରିଥିଲେ। ମା’ଙ୍କ ପ୍ରେରଣାରେ ସେ ଓଡ଼ିଶା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିଜର ନିଷ୍ଠା ଏବଂ କଠୋର ପରିଶ୍ରମ ଯୋଗୁଁ ପ୍ରଥମ ଚେଷ୍ଟାରେ ହିଁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଦଶମ ରାଙ୍କରେ ଉତୀର୍ଣ୍ଣ ହେଲେ ତପତି।

ବେଙ୍ଗାଳୁରୁଠାରେ ଚାକିରି ସହିତ ଓସିଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ତପତି ରାଜ। ଏପରିକି ସେ କୋଭିଡ ସମୟରେ ଅନଲାଇନରେ ଏହି ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିଲେ। ଶିକ୍ଷକମାନଙ୍କ ଗାଇଡାନ୍ସ ସହ ସିଲାବସ ଉପରେ ଅଧିକ ଧ୍ୟାନ ଦେଉଥିଲେ।

ଗୋଟିଏ ଭଲ ପ୍ୟାକେଜରେ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ତପତିଙ୍କୁ ଓସିଏସ ପରୀକ୍ଷା ପାଇଁ ନିଜ ଚାକିରିକୁ ବାଜି ଲଗାଇବାକୁ ପଡ଼ିଥିଲା। ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ନଥିବାରୁ ଚାକିରି ଛାଡ଼ିବା ପାଇଁ ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲେ ତପତି। କିନ୍ତୁ ପରିବାର ସଦସ୍ୟମାନେ ଉତ୍ସାହିତ କରିଥିଲେ ଚାକିରି ଛାଡ଼ି ନିଜ ସ୍ଵପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ିବାକୁ। ଏହା ପରେ ଚାକିରି ଛାଡ଼ି ମନୋବଳକୁ ଦୃଢ଼ କରି ପରୀକ୍ଷା ପାଇଁ ଖୁବ ଦମରେ ଲାଗିପଡ଼ିଥିଲେ ତପତି। ଯାହାର ପରିଣାମ ସ୍ଵରୂପ ସେ ଓସିଏସ ପରୀକ୍ଷାରେ ଦଶମ ରାଙ୍କରେ ଉତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି।

ପିଲାଟି ବେଳରୁ ପାଠପଢ଼ା ସହ ବକ୍ତୃତାରେ ଦକ୍ଷ ଥିଲେ ତପତି ରାଜ। ଓସିଏସ କୋଚିଂ ପାଇଁ ନିଜର ସବୁ ସଞ୍ଚୟ ଖର୍ଚ୍ଚ କରିଦେଇଥିଲେ ସେ। ତଥାପି ମନରେ ରହିଥିଲା ସକରାତ୍ମକ ଭାବନା।

ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ରହିଥିବା ଅସୁବିଧା ଦୂର କରିବା ସହ ଏବଂ ଆବଶ୍ୟକତା ରହିଥିବା କ୍ଷେତ୍ରର ବିକାଶ କରିବାକୁ ତପତିଙ୍କର ଲକ୍ଷ୍ୟ ରହିଛି। ଏହା ସହିତ ଶିକ୍ଷା, ମହିଳା ସଶକ୍ତିକରଣ ସହ ସରକାରୀ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଲୋକଙ୍କୁ ସଚେତନ କରାଇବା ଦିଗରେ କାମ କରିବାକୁ ଇଚ୍ଛା ରଖିଛନ୍ତି ସେ।

ଯେକୌଣସି କାର୍ଯ୍ୟ ପାଇଁ ପ୍ରଥମେ ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ। ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିବା। ଆତ୍ମବିଶ୍ଵାସର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ କଠୋର ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିପାରିବ ବୋଲି କୁହନ୍ତି ଓସିଏସ ପରୀକ୍ଷାରେ ସଫଳ ହୋଇଥିବା ତପତି ରାଜ।

Tags: #Education #OCSExam #OCSTopper #SuccessStory #TapatiRaj #Career

Comment