ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ। ଏହି ଅବସରରେ ପ୍ରତି ଜିଲ୍ଲାରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ସୋମବାର ଦିନ ଶେଷ ହୋଇଛି।

କୁତ୍ରାଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଳକ ବର୍ଗରେ କୋଇଡ଼ା ଏବଂ ବାଳିକା ବର୍ଗରେ ଲାଠିକଟା ବ୍ଲକ ଟିମ୍ ବିଜୟୀ ହୋଇଛି। ଚାମ୍ପିୟନ ଏବଂ ରନର୍ସଅପ୍ ଟିମଗୁଡ଼ିକୁ ସେଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରଫି ଓ ଜର୍ସି ପ୍ରଦାନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ବ୍ଲକସ୍ତରୀୟ ଟିମ ଚୟନ ଲାଗି ଗତ ସେପ୍ଟେମ୍ବର ୨୭ ତାରିଖରୁ ବିଭିନ୍ନ ହାଇସ୍କୁଲ ମଧ୍ୟରେ ମ୍ୟାଚ କରାଯାଇଥିଲା। ଉଭୟ ବାଳକ ଏବଂ ବାଳିକା ବର୍ଗରେ ହୋଇଥିବା ଏହି ପ୍ରାଥମିକ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଟିମଗୁଡ଼ିକ ଜୋନସ୍ତରୀୟ ମ୍ୟାଚ ଖେଳିବା ଲାଗି ବଛା ହୋଇଥିଲେ।

ଜିଲ୍ଲାର ୧୭ଟି ବ୍ଲକକୁ ୪ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ସେଠାରେ ଖେଳି ବିଜୟୀ ଟିମଗୁଡ଼ିକ ଜିଲ୍ଲାସ୍ତରୀୟ ଫାଇନାଲ ମ୍ୟାଚ ଲାଗି ଆସିଥିଲେ। ଅକ୍ଟୋବର ୧୨ରୁ ୧୫ ଯାଏଁ ଏହି ଜୋନସ୍ତରୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଏହି ଆନ୍ତଃସ୍କୁଲ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚରେ ବାଳକ ବର୍ଗରେ କୁତ୍ରା, ସୁନ୍ଦରଗଡ଼, କୋଇଡ଼ା ଓ ଲାଠିକଟା ଟିମ ଖେଳିଥିଲେ। ସେହିପରି ବାଳିକା ବର୍ଗରେ ଲାଠିକଟା, ଲେଫ୍ରିପଡ଼ା, ଗୁରୁଣ୍ଡିଆ ଏବଂ ରାଜଗାଙ୍ଗପୁର ଟିମ ସେମି ଫାଇନାଲକୁ ଆସିଥିଲେ। ଶେଷରେ ବାଳକ ବର୍ଗରେ କୁତ୍ରାକୁ ହରାଇ କୋଇଡ଼ା ଚାମ୍ପିୟନ ହୋଇଥିବା ବେଳେ ବାଳିକା ବର୍ଗରେ ରାଜଗାଙ୍ଗପୁରକୁ ପରାଜିତ କରି ଲାଠିକଟା ଟିମ ବିଜୟୀ ହୋଇଥିଲା।

ଏହି ଅବସରରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ଲାଗି ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଳିକା ବର୍ଗରେ ଲାଠିକଟା ଟିମର କିର୍ତ୍ତୀ କିସାନ ଏବଂ ବାଳକ ବର୍ଗରେ କୁତ୍ରା ଟିମର ରିତେଶ ଲାକ୍ରାଙ୍କୁ ସ୍ୱତନ୍ତ୍ର ଟ୍ରଫି ଦିଆଯାଇଥିଲା।

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ତଳସରାର ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ର କୁସୁମ ଟେଟେ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିସାନ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଏସପି ସାଗରିକା ନାଥ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଫୁଟବଲ ଖେଳ ପ୍ରତି ତୃଣମୂଳ ସ୍ତରରୁ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ‘ଫୁଟବଲ ଫର୍ ଅଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଅଧୀନରେ ହାଇସ୍କୁଲସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ପ୍ରଦାନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ଦିଆଯାଇ ସେମାନଙ୍କ ଭିତରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି।

Tags: #FootballTournament #Sundargarh #DistrictlevelTournament

Comment