ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ପ୍ରସାରଣ ହେବ ମୁମ୍ବାଇସ୍ଥିତ ଓଡ଼ିଶା ଭବନ। ଏଥିଲାଗି ବୁଧବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ମେଟ୍ରୋ ସିଟିରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ମୁମ୍ବାଇସ୍ଥିତ ଓଡ଼ିଶା ଭବନ କାର୍ଯ୍ୟ କରୁଛି। ଏହି ଭବନରେ ୨୮ଟି ଏସି ରୁମ ଓ ୪ଟି ଏସି ଡର୍ମିଟୋରୀ ରହିଛି। ଏଥିମଧ୍ୟରୁ ୧୬ଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ଟି ଏସି ଡର୍ମିଟୋରୀ ମୁମ୍ବାଇକୁ ଚିକିତ୍ସା ନିମନ୍ତେ ଆସୁଥିବା ଓଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡ଼ିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇଆସୁଛନ୍ତି। ମୁମ୍ବାଇ ଓଡ଼ିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡ଼ିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ଏହି ଦାବି ପରେ ଓଡ଼ିଶା ଭବନର ସମ୍ପ୍ରସାରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ୫-ଟି ସଚିବ ଭି କେ ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡକୋର ଅଧିକାରୀମାନେ ଏବଂ ମୁମ୍ବାଇସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡ଼ିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦିଆଯାଇ ପାରିବ। ଭିତ୍ତିପ୍ରସ୍ତର ସ୍ଥାପନ ପରେ ଓଡ଼ିଶାବାସୀ ଏବଂ ବିଭିନ୍ନ ଓଡ଼ିଆ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Tags: #OdishaBhawan #CMNaveenPatnaik #Mumbai #Expansion

Comment