ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟ ହେଉଛି ସମୟ ଏବଂ ସ୍ମର୍ଟ ହେଉଛନ୍ତି ମଣିଷ। ବର୍ତ୍ତମାନ ସମୟ ସହ ତାଳଦେଇ ସମସ୍ତେ ଚାଲିବାକୁ ପସନ୍ଦ କରୁଛନ୍ତି। ସ୍ମାର୍ଟ ଯୁଗରେ ଶିକ୍ଷାଦାନର ଶୈଳୀ ମଧ୍ୟ ସ୍ମାର୍ଟ ହୋଇଛି। ପାଠପଢ଼ାର ଏହି ସ୍ମାର୍ଟ ବାଟଟି ହେଉଛି ‘ଭର୍ଚୁଆଲ କ୍ଳାସ’। ଯାହା ପିଲାମାନଙ୍କ ପାଠପଢ଼ାରେ ଅଧିକ ଫଳପ୍ରଦ ହୋଇପାରୁଛି।

ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ଏକ ସମୟରେ ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲ ସହ ସିଧାସଳଖ ଯୋଡ଼ି ଦିଆଯାଏ ସେ ଏକ ସମୟରେ ୫ରୁ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବି ପଢ଼ାଇ ପାରନ୍ତି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଆରମ୍ଭ କରାଯାଇଥିବା ‘ଭର୍ଚୁଆଲ କ୍ଲାସ’ ଏହାର ଏକ ଉଦାହରଣ। ଏହି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଶିକ୍ଷାର ପରିସୀମାକୁ ବ୍ୟାପକ କରିପାରିଛି।

“ଭର୍ଚୁଆଲ କ୍ଳାସରେ ପାଠ ପଢ଼ିବାକୁ ବହୁତ ଭଲ ଲାଗୁଛି। ସ୍ମାର୍ଟ ବୋର୍ଡରେ ସ୍ମାର୍ଟ ପଦ୍ଧତିରେ ସହଜରେ ପାଠ ବୁଝି ହେଉଛି।  ଯେଉଁ ସ୍କୁଲକୁ ମୁଁ କେବେ ଦେଖିନି ସେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ କ୍ଲାସ ଜରିଆରେ ଏକା ସାଙ୍ଗରେ ପାଠପଢ଼ିବାର ସୁଯୋଗ ମିଳୁଛି,” କୁହନ୍ତି ଛାତ୍ରୀ ମୋନାଲିସା ବାଗ।

ସୁନ୍ଦରଗଡ଼ ଜିଲ୍ଲାଠାରେ ଥିବା ଭର୍ଚୁଆଲ କ୍ଲାସ ଷ୍ଟୁଡିଓରେ ଦକ୍ଷ ଶିକ୍ଷକମାନେ ଫଟୋ, ଅଡିଓ ଏବଂ ଭିଡିଓ ମାଧ୍ୟମରେ ପାଠ ପଢ଼ାଉଛନ୍ତି। ବହି ଅପେକ୍ଷା ଭିଡିଓ ଦ୍ଵାରା ପାଠପଢ଼ାଯାଉଥିବାରୁ ଏବେ ସହଜରେ ପାଠ ମନେ ରହୁଛି ବୋଲି ଜଣେ କୁହନ୍ତି।

“ଭର୍ଚୁଆଲ କ୍ଲାସ ଷ୍ଟୁଡିଓ ମାଧ୍ୟମରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ଶିକ୍ଷାଦାନ ଦେଇଥାନ୍ତି। ବିଭିନ୍ନ ସ୍କୁଲରେ ଥିବା ଛାତ୍ରଛାତ୍ରୀ ଏହି ମାଧ୍ୟମରେ ଶିକ୍ଷା ଲାଭ କରିବାର ଏକ ଅନନ୍ୟ ଅଭିଜ୍ଞତା ହାସଲ କରୁଛନ୍ତି,” କୁହନ୍ତି ସୁନ୍ଦରଗଡ଼ ଡିଇଓ ଅମୂଲ୍ୟ କୁମାର ପଧାନ।

୨୦୧୯ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ। ଏଥିପାଇଁ ସମସ୍ତ ଆର୍ଥିକ ସହାୟତା ଯୋଗାଇଦେଉଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)। ଏହି କାର୍ଯ୍ୟକ୍ରମ ଅଧୀନରେ ଭି-ସ୍ୟାଟ ଲିଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୭୦ଟି ସ୍କୁଲକୁ ଯୋଡ଼ା ଯାଇଥିଲା। ବର୍ତ୍ତମାନ ଭି-ସାଟ୍ ଲିଙ୍କରେ ଯୋଡ଼ି ହୋଇଛି ଜିଲ୍ଲାର ମୋଟ ୨୮୭ଟି ସ୍କୁଲର ୫୭୨ କ୍ଲାସରୁମ୍। ଏହି ‘ଭର୍ଚୁଆଲ କ୍ଲାସ’ ଦ୍ଵାରା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୪୦ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।

“ଭର୍ଚୁଆଲ କ୍ଲାସ ଦ୍ଵାରା ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଛାତ୍ରଛାତ୍ରୀମାନଙ୍କ ଲାଗି ବେଶ ଫଳପ୍ରଦ ହେଉଛି। ଏହା ସହିତ ଶିକ୍ଷାର ଗୁଣାତ୍ମକମାନ ମଧ୍ୟ ବୃଦ୍ଧି ପାଉଛି। ଛାତ୍ରଛାତ୍ରୀଙ୍କୁ ଅଡିଓ, ଭିଡିଓ ଏବଂ ଫଟୋ ମାଧ୍ୟମରେ ପାଠପଢ଼ା ଯାଉଛି। ପାଠପଢ଼ାର ଏହି ସ୍ମାର୍ଟ ବାଟ ପ୍ରତି ପିଲାମାନଙ୍କର ଆଗ୍ରହ ଦେଖିବାକୁ ମିଳୁଛି,” କହିଛନ୍ତି ଲାଠିକଟା ଦେଓକରଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରଧାନ।

ଏହି ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍କୁଲଏ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଦିକୁ ଯୋଡ଼ା ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ‘ଭର୍ଚୁଆଲ ସ୍କୁଲ’ ଷ୍ଟୁଡିଓକୁ ଡକାଯାଇ ଲାଇଭ୍ କ୍ଲାସ କରାଯାଉଛି।

ଏହି ଶିକ୍ଷକମାନେ ଅଲଗା ଅଲଗା ସ୍କୁଲରେ ବସିଥିବା ଛାତ୍ରଛାତ୍ରୀଙ୍କୁ ଏକା ସମୟରେ ‘ଭର୍ଚୁଆଲ କ୍ଲାସ’ ମାଧ୍ୟମରେ ପାଠ ପଢ଼ାଉଛନ୍ତି। ଏହି କ୍ଲାସ ଜରିଆରେ ମୁଖ୍ୟତଃ ଇଂରାଜୀ, ଓଡ଼ିଆ, ଗଣିତ, ବିଜ୍ଞାନ, ଇତିହାସ ଏବଂ ଭୂଗୋଳ ଆଦି ବିଷୟରେ ପାଠପଢ଼ାଯାଉଛି। ଟେକ୍ନୋଲୋଜିର ଏଭଳି ବ୍ୟବହାର ଫଳରେ ଜିଲ୍ଲାରେ ପାଠପଢ଼ାଇବାର ଧାରା ଏବଂ ପରିସୀମା ବ୍ୟାପକ ହୋଇପାରିଛି।

“ବ୍ଲାକବୋର୍ଡ ଏବଂ ହ୍ଵାଇଟବୋର୍ଡ ଅପେକ୍ଷା ସ୍ମାର୍ଟବୋର୍ଡରେ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ବଢ଼ିଛି। ଜୀବନ୍ତ ଛବି ମାଧ୍ୟମରେ ପାଠପଢ଼ିବାକୁ ପିଲାମାନେ ଆକୃଷ୍ଟ ହେବା ସହ ଭଲ ରେସପଣ୍ଡ କରୁଛନ୍ତି। ପାଠକୁ ନେଇ ମନରେ ସନ୍ଦେହ ଥିଲେ ଶିକ୍ଷକମାନଙ୍କୁ ପଚାରି ନିଜର ସନ୍ଦେହ ଦୂରକରିପାରୁଛନ୍ତି ଛାତ୍ରଛାତ୍ରୀ,” କୁହନ୍ତି ଦେଓଗାଁ ଉତ୍କଳମଣି ଗମେଣ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ସାହୁ।

ସୋମବାରଠାରୁ ଶୁକ୍ରବାର ସପ୍ତାହକୁ ୫ ଦିନ ଭର୍ଚୁଆଲ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୨ଟି ପିରିୟଡରେ ପାଠପଢ଼ାଯାଉଛି। ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଳି କରି ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଉଛି।

ଭର୍ଚୁଆଲ କ୍ଲାସ ମାଧ୍ୟମରେ ପାଠପଢ଼ିବାକୁ ଭଲ ଲାଗୁଛି। ଯାହା ଡାଉଟ ରହୁଛି ସିଧାସଳଖ ଶିକ୍ଷକମାନେ କ୍ଲିଅର କରିଦେଉଛନ୍ତି। ଫଟୋ ଏବଂ ଭିଡିଓ ମାଧ୍ୟମରେ ପାଠପଢ଼ା ଯାଉଥିବାରୁ ଏହା ଅତି ସହଜ ଲାଗୁଛି ଏବଂ ମନେ ମଧ୍ୟ ରହୁଛି ବୋଲଇ ଜଣେ ଛାତ୍ରୀ କୁହନ୍ତି।

ରାଜ୍ୟ ସରକାରଙ୍କ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଧୁନିକ ରୂପ ନେଇଥିବା ସ୍କୁଲଗୁଡ଼ିକରେ ଯେଉଁ ସ୍ମାର୍ଟ କ୍ଲାସରୁମର ବ୍ୟବସ୍ଥା କରାଯାଇଛି, ତାହା ଏବେ ଭର୍ଚୁଆଲ କ୍ଲାସ ପାଇଁ ସୁବିଧାଜନକ ହୋଇପାରୁଛି। ଭର୍ଚୁଆ କ୍ଲାସରେ ଥାଇ ସ୍ମର୍ଟ ବୋର୍ଡ ମାଧ୍ୟମରେ ପିପିଟି ଭିଡିଓ, ଅଡିଓ ଏବଂ ଆନିମେସନ ବ୍ୟବହାର କରି ଭିନ୍ନ ଭିନ୍ନ ସ୍କୁଲରେ ବସିଥିବା ପିଲାମାନଙ୍କୁ ପାଠପଢ଼ାଯାଉଛି। ଏହି ମୋଡରେ କେବଳ ଶିକ୍ଷକମାନେ ଶିକ୍ଷାଦାନ କରୁନାହାନ୍ତି। ପିଲାମାନେ ମଧ୍ୟ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିପାରୁଛନ୍ତି।

ଯଦି ବି ପିଲାଙ୍କ ମନରେ କୌଣସି ବିଷୟକୁ ନେଇ ସନ୍ଦେହ ରହୁଛି ସେମାନେ ସମ୍ପୃକ୍ତ କ୍ଳାସର ରେକର୍ଡିଂକୁ ବ୍ୟବହାର କରି ନିଜର ସନ୍ଦେହ ଦୂର କରିପାରୁଛନ୍ତି। ଏହା ନିଶ୍ଚିତ ଏକ ଭଲ ପଦକ୍ଷେପ ବୋଲି କୁହନ୍ତି ଶିକ୍ଷକ ମହେଶ ବରାଳ।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧୁନିକ ବିଜ୍ଞାନାଗାର କରାଯାଇଛି। ଭର୍ଚୁଆଲ କ୍ଲାସ ମାଧ୍ୟମରେ ଜିଲ୍ଲାର ଦକ୍ଷ ବିଜ୍ଞାନ ଶିକ୍ଷକମାନେ ବିଜ୍ଞାନର ବିଭିନ୍ନ ପ୍ରୟୋଗ କରି ପିଲାଙ୍କୁ ପଢ଼ାଉଛନ୍ତି। ଫଳରେ ଏକା ସମୟରେ ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀ ପାଠପଢ଼ିପାରୁଛନ୍ତି।

କୋଭିଡ ସମୟରେ ପିଲାଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥିଲା ‘ଭର୍ଚୁଆଲ କ୍ଲାସ’। କୋଭିଡ ମହାମାରୀ ଯୋଗୁଁ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାରୁ ‘ଭର୍ଚୁଆଲ କ୍ଲାସ’ ଶିକ୍ଷା ଦାନର ଏକ ନୂତନ ବିକଳ୍ପ ପାଲଟିଥିଲା।

‘ଭର୍ଚୁଆଲ କ୍ଳାସ’ର ଭିତ୍ତିଭୂମିକୁ ବ୍ୟବହାର କରି ବିଭିନ୍ନ ବିଷୟରେ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ଵାରା ଭିଡିଓ ଲେକଚର ପ୍ରସ୍ତୁତ କରାଯାଇଥାଏ। ଜିଲ୍ଲା ଶିକ୍ଷା ବିଭାଗ ମାଧ୍ୟମରେ ଏହି ଡିଜିଟାଲ କଣ୍ଟେଣ୍ଟ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଏବଂ ବିଷୟ ଶିକ୍ଷକଙ୍କ ମାଧ୍ୟମ ଦେଇ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମୋବାଇଲେ ପହଞ୍ଚୁ ଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ଯୋଗୁଁ ସହରାଞ୍ଚଳ ସହ ଗ୍ରାମଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି। ‘ଭର୍ଚୁଆଲ କ୍ଲାସ’ କାର୍ଯ୍ୟକ୍ରମ ଜିଲ୍ଲାରେ ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିପାରିଛି।

Tags: #Education #VirtualClass #SmartClass #Learning #Sundargarh #DMF

Comment