ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ପ୍ରୋତ୍ସାହନ ପାଇଥିବା ପ୍ରମୁଖ ଷ୍ଟାର୍ଟଅପ୍‌ ଭିତରେ ଭାରତର ଅଗ୍ରଣୀ ତଥା ଲୋକପ୍ରିୟ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍‌’ ମିଡିଆ ନେଟୱର୍କ (ଓଡିକାଷ୍ଟ ଡିଜିଟାଲ୍)।

ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିକାଶ ପାଇଁ ଷ୍ଟାର୍ଟଅପ୍ ଓଡ଼ିଶା ଟାସ୍କ ଫୋର୍ସ ପକ୍ଷରୁ ରାଜ୍ୟର କେତେକ ଅଗ୍ରଣୀ ଷ୍ଟାର୍ଟଅପଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ୨୩ଟି ଷ୍ଟାର୍ଟଅପକୁ ୧ କୋଟି ୫୩ ଲକ୍ଷ ଟଙ୍କା ଏବଂ ୨ଟି ଇନକ୍ୟୁବେଟର ଲାଗି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଷ୍ଟାର୍ଟଅପଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ଅଧାରରେ ଆର୍ଥିକ ପ୍ରୋତ୍ସାହନ ରାଶିକୁ ମଞ୍ଜୁର କରାଯାଇଛି।

ପ୍ରୋତ୍ସାହନ ରାଶି ପାଇଥିବା ଷ୍ଟାର୍ଟଅପ୍‌ ଭିତରେ ଭାରତର ଅଗ୍ରଣୀ ତଥା ଲୋକପ୍ରିୟ ସ୍ୱାସ୍ଥ୍ୟଭିତ୍ତିକ ଡିଜିଟାଲ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍‌’ ମିଡିଆ ନେଟୱର୍କ (ଓଡିକାଷ୍ଟ ଡିଜିଟାଲ୍) ରହିଛି। ସ୍ୱାସ୍ଥ୍ୟପ୍ଲସ ନେଟଓ୍ୱର୍କ ପକ୍ଷରୁ ବିଭିନ୍ନ ରୋଗ ଏବଂ ଏହାର ପ୍ରତିକାର ବିଷୟରେ ଡାକ୍ତରମାନଙ୍କ ସାକ୍ଷାତକାର ନିଆଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯାଉଛି। ବିଭିନ୍ନ ଲୋକପ୍ରିୟ ସୋସିଆଲ ମିଡଆ ପ୍ଲାଟଫର୍ମ ସହିତ ଯୋଡ଼ିହୋଇ ‘ସ୍ୱାସ୍ଥ୍ୟପ୍ଲସ୍‌’ ଲୋକମାନଙ୍କର ପ୍ରଶଂସା ସାଉଁଟି ପାରିଛି।

ବର୍ତ୍ତମାନ ୧୩ଟି ଭାରତୀୟ ଭାଷାରେ ସ୍ୱାସ୍ଥ୍ୟପ୍ଲସ୍‌ ନେଟଓ୍ୱର୍କ ପକ୍ଷରୁ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଛି। ଯୁବ ଉଦ୍ୟୋଗୀ ସିଦ୍ଧାର୍ଥ ରଥ ଏହି କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଅଛନ୍ତି। ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, କିଶୋରୀ ବାଳିକା, ସାନ ସାନ ପିଲାଙ୍କ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ ଆଦି ବ୍ୟାପକ ବିଷୟକୁ ନେଇ ସ୍ୱାସ୍ଥ୍ୟପ୍ଲସ୍‌ ପକ୍ଷରୁ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଛି। କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ସ୍ୱାସ୍ଥ୍ୟପ୍ଲସ୍‌ ପକ୍ଷରୁ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ଲାଗି ମିଡିଆ କ୍ୟାମ୍ପେନ କରାଯାଉଥିଲା। ଏହାକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ।

ଓଡିକାଷ୍ଟ ଡିଜିଟାଲ୍ ସହିତ ଓଡ଼ିଶାର ଅନ୍ୟ ୨୨ଟି ଷ୍ଟାର୍ଟଅପକୁ ମଧ୍ୟ ପ୍ରୋତ୍ସାହନ ରାଶି ମଳିଛି। ସେଥିମଧ୍ୟରେ ରହିଛି – ଏୟୁୟୁଏମ୍ ପ୍ଲାଟଫର୍ମ, ମାଟି ଫାର୍ମସ, ଟିଏସ୍ ଓରିଜିନାଲ୍‌ସ, କୋଡିଗେରାଓ ଇନୋଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍, ମିଓର୍ଗ ୩୬୦ ଇନୋଭେସନ, କ୍ଲାଭିକ୍ଟର ଏକାଡେମୀ, ଆଇଓନୋକ୍ସ ସଫ୍ଟୱେୟାର୍, ଏମପିବିଏସ୍ ଲାଇଫ୍ ଷ୍ଟାଇଲ୍ ଏବଂ ଡିଜାଇନ୍, ଥିଙ୍କ୍-ଜେନିକ୍ସ ବାୟୋଟେକ୍, ପ୍ୟୁରିପେଟାଲ୍ ଆଲାଏନ୍ସ, ପ୍ରାୟଓରିଟିଜ୍ ମେଡ୍ ଇଜି ଟେକ୍ନୋଲୋଜି, ଲାପି ହେଲଥ କେୟାର୍, ୫ ଷ୍ଟାର୍ ଅପ୍ନିସେବା।ସେହିପରି କୋଏଲ୍ ଫ୍ରେସ୍, ୟୋଶିନୋ ଏନର୍ଜି, ୱେଟୁଓ୍ୱର୍ଥ, ଟରମେରିକ୍‌ ତତ୍ତ୍ୱ, କିଓମସ୍ ଟେକ୍ନୋଲୋଜିସ୍ ଏବଂ କେଡଟେକ୍ମାଟିକ୍ ଟେକ୍ନୋଲୋଜିସ ସହିତ ଜୈବିକ ସାର, ଇ-ଯାନ, ଏଆର / ଭିଆର ଉପରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପଗୁଡ଼ିକୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି।

ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବିଭୁତି ଭୂଷଣ ଦାଶ, ଶିଳ୍ପ ନିର୍ଦ୍ଦେଶକ ସାଦିକ୍ ଆଲାମ, ଅର୍ଥ ବିଭାଗର ଉପସଚିବ ସ୍ମିତା ରାଉତ, ୟୁସିସିଆଇର ରଜେନ୍ ପାଢ଼ୀ, ଲୁମିନୌସ ଇନଫାୱେସର ଜୟଶ୍ରୀ ମହାନ୍ତି, ତତ୍ତ୍ୱ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଐଶକାନ୍ତ ମହାନ୍ତି, ଆଇଏମଏମଟି ଭୁବନେଶ୍ୱରର ଡକ୍ଟର ଏସ ଏମ ମୁସ୍ତାକିମ ଏବଂ ଷ୍ଟାର୍ଟଅପ ଓଡ଼ିଶାର ଇଭାନଜେଲିଷ୍ଟ ଡକ୍ଟର ସଂଯୁକ୍ତା ବଢ଼ାଇ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Startup #StartupOdisha #Swasthyaplus #HealthStartup #SkilledinOdisha #OdicastDigital

Comment