ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ପୋଲିସ୍‌ ସବ୍-ଇନ୍ସପେକ୍ଟର ଥିଲେ, ଆଜି କିନ୍ତୁ ଓଏଏସ ଅଫିସର। ବାରମ୍ବାର ବିଫଳତା ପରେ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ କୋରପୁଟର ପୁଅ ରଶ୍ମୀରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଦେଇଛି।

“ବହୁତ ପାଠପଢ଼ିବା ପରେ ମୁଁ ଅନୁଭବ କଲି ଏତେ ପଢ଼ିବାର ଆଶ୍ୟକତା ନାହିଁ। ଦିନକୁ ୩ରୁ ୪ ଘଣ୍ଟା ପଢ଼ିଲେ ଯଥେଷ୍ଟ, କିନ୍ତୁ ଯେତିକି ବି ସମୟ ପଢ଼ିବା ଫୋକସର ସହ ପଢ଼ିବାର ଆବଶ୍ୟକତା ରହିଛି,” କହନ୍ତି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିବା କୋରାପୁଟ ଜିଲ୍ଲା ସେମିଳାଗୁଡ଼ାର ରଶ୍ମୀରଞ୍ଜନ ମଲ୍ଲିକ।

ରଶ୍ମୀରଞ୍ଜନ ଦିଲ୍ଲୀରେ ରହି ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ସେଠାରେ ରହିବା ସମୟରେ ତାଙ୍କ ସହ ରହୁଥିବା ଜଣେ ସାଙ୍ଗ ସେତେବେଳେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ସାଙ୍ଗକୁ ଦେଖି ସେ ମଧ୍ୟ ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କଲେ। ତା’ ପରେ ସେ ବିଭିନ୍ନ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

୨୦୧୨ରେ ରଶ୍ମୀ ପୋଲିସ୍‌ ସବ୍‌-ଇନ୍ସପେକ୍ଟର ପରୀକ୍ଷାରେ ସଫଳତା ଲାଭ କରିବା ପରେ ଜଟଣୀସ୍ଥିତ ବିଜ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ତାଲିମ ନେଇଥିଲେ। ପରେ ସେ ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

“ଉଚ୍ଚଶିକ୍ଷା ଥିଲେ ମଧ୍ୟ ଚାକିରି ପାଇଁ ବିଭିନ୍ନ କମ୍ପାନିକୁ ଯାଇଛି ଏବଂ ବାରମ୍ବାର ଚେଷ୍ଟା କରିଛି। ଇଣ୍ଟରଭ୍ୟୁ ଦେବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ମଧ୍ୟ ନିରାଶ ହୋଇକି ଫେରିଛି। ମୋ ଜୀବନରେ ଏମିତି ବି ଦିନ ଦେଖିଛି ଯେଉଁଠି ସିକ୍ୟୁରିଟିଗାର୍ଡ ଗେଟ ଆଗରୁ ମୋତେ ଫେରେଇ ଦେଇଛନ୍ତି। ତଥାପି ମୋ ମନବୋଳ ଭାଙ୍ଗି ନଥିଲା। ବହୁ ଚେଷ୍ଟା ପରେ ଏହି ସଫଳତା ମିଳିଛି”, କହନ୍ତି ରଶ୍ମୀରଞ୍ଜନ ମଲ୍ଲିକ।

ସେ ଆହୁରି ମଧ୍ୟ କହନ୍ତି, ‘‘ ମୁଁ ଜଣେ ଆଭରେଜ୍‌ ଷ୍ଟୁଡେଣ୍ଟ। ମୁଁ ଯଦି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇପାରିଲି ତାହେଲେ ଅନ୍ୟମାନେ ବି ହୋଇପାରିବେ। ଏଥିପାଇଁ ବାରମ୍ବାର ଚେଷ୍ଟା ହିଁ ଆବଶ୍ୟକ।’’

ତୃତୀୟ ଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ରଶ୍ମୀରଞ୍ଜନ ମଲ୍ଲିକ। ପ୍ରଥମ ଥର ପରୀକ୍ଷା ଦେବା ପରେ ପ୍ରସ୍ତୁତି କରିବାକୁ ସମୟ ପାଇନଥିଲେ ସେ। ଏହା ପରେ ସେ ୨୦୧୯ ମସିହାରେ ପୁଣି ଚେଷ୍ଟା କରିଥିଲେ। ଏକା ଏକା ପଢ଼ାପଢ଼ି କରୁଥିଲେ।

ସେ କହନ୍ତି, ‘‘ ଅନ୍ୟମାନେ କେଉଁ ବିଷୟରେ ଅଧିକ ନମ୍ବର ରଖୁଛନ୍ତି ସେଥିରେ ଫୋକସ ନକରି ନିଜର ଆଗ୍ରହ ରହିଥିବା ବିଷୟକୁ ଚୟନ କଲେ ପରୀକ୍ଷାରେ ଭଲ ମାର୍କ ଆସିଥାଏ। ଏହା ସହିତ ପୂର୍ବ ବର୍ଷର ସିଲାବସ ଏବଂ ପ୍ରଶ୍ନପତ୍ର ଦେଖି ନିଜ ହିସାବରେ ବିଷୟ ଚୟନ କରିବା କଥା।  ଯେଉଁମାନେ ଏକା ଏକା ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ଅନଲାଇନ ମାଧ୍ୟମରେ ଗାଇଡାନ୍ସ ନିଅନ୍ତୁ। ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ନିଜ ଉପରେ ବିଶ୍ଵାସ ରଖନ୍ତୁ।

“ସାକ୍ଷାତକାର ବେଳେ ଇଂରାଜୀ କହିବା ବାଧ୍ୟତାମୂଳକ ନୁହେଁ। ଯଦି କାହାକୁ ଇଂରାଜୀ ଠିକ୍ ଭାବେ କହି ଆସୁନି ସେ ଚାହିଁଲେ ଅନୁମତି ନେଇ ଓଡ଼ିଆରେ ସାକ୍ଷାତକାର ଦେଇପାରିବେ। ଅନେକ ଆଶାୟୀଙ୍କର ଡର ରହିଥାଏ ଇଂରାଜୀ ନଆସିଲେ ଚାକିରି ମିଳିବନି। ଏହା ସମ୍ପୂର୍ଣ୍ଣ ଭୁଲ, ପିଲା ଓଡ଼ିଆରେ ସାକ୍ଷାତକାର ଦେଇ ମଧ୍ୟ ଚାକିରି ପାଉଛନ୍ତି। କିନ୍ତୁ ସାକ୍ଷାତକାର ସମୟରେ ଆତ୍ମବିଶ୍ୱାସ ରହିବା ନିହାତି ଆବଶ୍ୟକ,” କହନ୍ତି ରଶ୍ମୀରଞ୍ଜନ।

ନିକଟରେ ସରକାର ମଧ୍ୟ ଓଡ଼ିଆ ଭାଷାରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ଇଂରାଜୀ ଯୋଗୁଁ ଏହି ପରୀକ୍ଷା ଦେବା ଲାଗି ପଛଘୁଞ୍ଚା ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଏହା ବେଶ ସହାୟକ ହେବ।

ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ କାମ କରିବାକୁ ଆଶା ରଖିଛନ୍ତି ଓସିଏସ ପରୀକ୍ଷାରେ ସଫଳ ହୋଇଥିବା ରଶ୍ମୀରଞ୍ଜନ ମଲ୍ଲିକ। ସେ କହନ୍ତି ତୃଣମୂଳସ୍ତରରୁ ଲୋକଙ୍କର ସମସ୍ୟା ବୁଝି ସେଗୁଡ଼ିକର ସମାଧାନ କରିବା ଉପରେ ଅଧିକ ଗୁରୁତ୍ଵ ଦେବେ। ଲୋକଙ୍କ ଲାଗି ହେଉଥିବା ସରକାରୀ ଯୋଜନାର ସୁଯୋଗ କିପରି ସେମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ଲୋକେ କିଭଳି ଏହାର ସୁଫଳ ନେଇପାରିବେ ସେ ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି ରଶ୍ମୀରଞ୍ଜନ ମଲ୍ଲିକ।

ସଫଳ ହେବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ସଫଳ ହେବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଟା ଜାରି ରଖିବାକୁ ପଡ଼ିବ। ବିଫଳତାରରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଆବଶ୍ୟକ। ଅଧୈର୍ଯ୍ୟ ହୋଇପଡ଼ିଲେ ବେଳେବେଳେ ମୋଟିଭେସନାଲ ଭିଡିଓ ଦେଖିବା ଜରୁରୀ। ନିଜ ଭିତରେ ସକରାତ୍ମକ ଚିନ୍ତା ରଖି ଚେଷ୍ଟା କଲେ ଏସିଏସ ଭଳି ପରୀକ୍ଷାରେ ନିଶ୍ଚିତ ସଫଳତା ମିଳିପାରିବ ବୋଲି କହୁନ୍ତି ରଶ୍ମୀରଞ୍ଜନ ମଲ୍ଲିକ।

Tags: #Education #Career #OAS #OCS #RashmiRanjanMallick

LEAVE A REPLY

Please enter your comment!
Please enter your name here