ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର-୨୦୨୨ ଉଦଯାପିତ ହୋଇଯାଇଛି। ଏହି ମେଗା ଇଭେଣ୍ଟ ଅବସରରେ ପର୍ଯ୍ୟଟନ, ଟ୍ରାଭେଲ ଏବଂ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ସଂସ୍ଥା ସହ ଯୋଡ଼ି ହେବାକୁ ଦେଶ ବିଦେଶର ଟୁର ଅପରେଟରମାନେ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ଟ୍ରାଭେଲ ବଜାରର ତୃତୀୟ ଦିନରେ ୩,୩୭୭ ଜଣ କ୍ରେତା-ବିକ୍ରେତାଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଟୁର ଅପରେଟରମାନେ ଅଂଶଗ୍ରହଣ କରି ସେମାନଙ୍କ ସମ୍ଭାବ୍ୟ ବୁଝାମଣା ସମ୍ପର୍କରେ ଆଲୋଚନା କରିଥିଲେ।
କିଛି ଟୁର ଅପରେଟର ଖୁବ ଶୀଘ୍ର ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଚୁକ୍ତି ସ୍ଵାକ୍ଷର କରିବାକୁ ଯୋଜନା ରଖିବେଳେ ଅନେକ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ନେଇ ବେଶ୍ ଆଶାବାଦୀ ଏବଂ ଉତ୍ସାହିତ ଅଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜନ କରାଯାଇଥିଲା ଓଡ଼ିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ। ଏହି ତିନି ଦିନିଆ କାର୍ଯ୍ୟକ୍ରମର ଅଂଶ ଭାବେ ଟୁର ଅପରେଟରମାନେ ଭୁବନେଶ୍ୱର, ପୁରୀ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ପରିଦର୍ଶନ କରି ଏହାର ଅପରୂପ ସୌନ୍ଦର୍ଯ୍ୟର ଆନନ୍ଦ ନେଇଥିଲେ।
ନିବେଶକ ଏବଂ ଏୟାରଲାଇନ୍ସଗୁଡ଼ିକ ସହ ବି-ଟୁ-ଜି ବୈଠକ ଆୟୋଜନ କରାଯାଇଥିଲା। ଏହା ସହିତ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।
ଅକ୍ଟୋବର ୨୮ ତାରିଖ ଦିନ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୨’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ତିନିଦିନିଆ ମେଗା ଇଭେଣ୍ଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡ଼ିଶାରେ ଅନେକ ପର୍ଯ୍ୟଟନ ସମ୍ଭାର ରହିଛି। ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ଲୋକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି। ସ୍ପୋର୍ଟସ୍ ଟୁରିଜିମ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ତା’ଛଡ଼ା ବେଳାଭୂମି, ଜୈବ ବିବିଧତା ଅଞ୍ଚଳ, ଐତିହ୍ୟ ସ୍ଥଳ, ଧାର୍ମିକ ଓ ସାଂସ୍କୃତି କ୍ଷେତ୍ର ଏବଂ ପ୍ରାଚୀନ କୀର୍ତ୍ତିରାଜି ଆମ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିପାରିଛି। ଯେଉଁ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବେ ସେମାନେ ନୂଆ ଅନୁଭୂତି ନେଇ ଫେରିବେ।’’
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି କରିଛନ୍ତି। କ୍ୟାମ୍ପିଙ୍ଗ, ହାଉସ୍ ବୋଟ୍ ଟୁରିଜିମ, କାରାଭନ ଟୁରିଜିମ, ହେରିଟେଜ୍ ଟୁରିଜିମ ଏବଂ ୱାଟର ଟୁରିଜିମ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଉଛି। ଏଥିପାଇଁ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପର୍ଟ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି।
ଆଗାମୀ ଦିନରେ ଓଡ଼ିଶାରେ ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ତେଣୁ ଟୁର୍ ଅପରେଟରମାନେ ଓଡ଼ିଶା ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅପିଲ କରିଥିଲେ।
ଉଦଘାଟନୀ ଅବସରରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଥିଲେ, ‘‘ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଆମ ଜଙ୍ଗଲ ସମ୍ପଦ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ତେଣୁ ଓଡ଼ିଶାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ।’’
“ଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ବେଳାଭୂମି, ରାଜ ପ୍ରାସାଦ, ବ୍ୟାକ ୱାଟର, ଡେଜର୍ଟ ଆଦି ଭଳି ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଅଧିକ ସଂଖ୍ୟକ ହୋଟେଲ ରୁମର ବ୍ୟବସ୍ଥା କରାଯାଉଛି। ତେଣୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେଲେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ପାରିବ ବୋଲି ଆଶା ରହିଛି’’, କହିଛନ୍ତି ଫିକି ଟ୍ରାଭେଲ, ଟୁରିଜିମ ଏବଂ ହସ୍ପିଟାଲିଟି କମିଟିର ସହ ଅଧ୍ୟକ୍ଷ ଏବଂ ଫିକି ଡୋମେଷ୍ଟିକ ଟୁରିଜିମ କମିଟିର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେ.କେ ମହାନ୍ତି।
ଓଡ଼ିଶା ଟ୍ରାଭେଲ ବଜାର ଅବସରରେ ଏକ ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଥିଲେ।
ଏହି ମେଗା ଇଭେଣ୍ଟରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୫ ବିଦେଶୀ ଟୁର ଅପରେଟର ଯୋଗ ଦେଇଛନ୍ତି। ସେହିପରି ଔରଙ୍ଗାବାଦ,ବେଙ୍ଗାଳୁରୁ, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣାରୁ ୮୩ ଘରୋଇ ଅପରେଟର ଯୋଗ ଦେଇଛନ୍ତି।
ଓଡ଼ିଶା ଟ୍ରାଭେଲ ବଜାରର ଦ୍ୱିତୀୟ ଦିନରେ ଜାତୀୟ ତଥା ଅନ୍ତର୍ଜାତୀୟ ହସ୍ପିଟାଲିଟି ଏବଂ ୱେଲନେସ ଗ୍ରୁପଗୁଡ଼ିକ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ସହିତ ଓଡ଼ିଶାରେ ନିବେଶ ନେଇ ଆଲୋଚନା କରିଛନ୍ତି।
ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଡ଼ିଶା ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଫିକିର ଟ୍ରାଭେଲ୍, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲସର ସିଏମଡି ଜେ କେ ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗ ଓଏସଡି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।
Tags: #BrandOdisha #CMOdisha #NaveenPatnaik #OdishaTourism #OdishaTravelBazaar #OdishaTravelBazaar2022 #Travel&TourOperator #OTB


















