ଓଡ଼ିଶାଲାଇଭ୍ ବ୍ୟୁରୋ

tiger

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଚଳିତ ବର୍ଷ ଲାଗି ମଙ୍ଗଳବାରଠାରୁ ଅଭୟାରଣ୍ୟକୁ ଖୋଲାଯାଇଛି। ଦୈନିକ ଯଶୀପୁର କାଳିଆଣି ତନଖି ଫାଟକ ପଟୁ ୩୫ଟି ୪ ଚକିଆ ଯାନ ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଗାଡ଼ି ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ସ୍ଥିର ହୋଇଛି। ଏହି ଦୁଇ ତନଖି ଫାଟକ ଦେଇ ପ୍ରବେଶ ପାଇଁ ଅନୁମତିପତ୍ର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଣ୍ଟରରେ ଉପଲବ୍ଧ ରହିବ।

ବର୍ଷା ପାଇଁ ୪ ମାସ ବନ୍ଦ ରହିବା ପରେ ପିକନିକ୍ ଋତୁ ଆରମ୍ଭ ହୋଇଥିବାରୁ ମଙ୍ଗଳବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲା ଯାଇଛି। ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମ ଏବଂ ଦ୍ଵିତୀୟ ଦିନ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ଶିମିଳିପାଳରେ।

ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବା ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦିଆଯାଇଛି। ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି।

ପ୍ରଥମ ଦିନରେ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର। ଅଭୟାରଣ୍ୟରେ ସମସ୍ତ ପ୍ରକାର ନୀତି ନିୟମ ପାଳନ ପୂର୍ବକ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଦିନରେ ଭ୍ରମଣ କରି ଫେରିବା ସହିତ ଅଭୟାରଣ୍ୟରେ ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନ ବୁକିଂ କରି ଏହି ସୁବିଧାର ମଜା ନେଇପାରିବେ।

Tags: #Similipal #SimilipalTigerReserve #WildLifeSanctuary #Tourist #SimilipalAbhayaranya

LEAVE A REPLY

Please enter your comment!
Please enter your name here