ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ଦିନ ସରିଛି ପ୍ରଚାର କାର୍ଯ୍ୟ। ଆସନ୍ତାକାଲି ହେବ ଭୋଟ ଗ୍ରହଣ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଉପନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଟ ୨୫୨ଟି ବୁଥରେ ମତଦାନ କରିବେ ଧାମନଗର ଭୋଟର।

ଉପନିର୍ବାଚନ ପୂର୍ବରୁ ଧାମନଗର ନିର୍ବାଚନ ମଣ୍ଡଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ପୋଲିଂ ପାର୍ଟି ଇଭିଏମ ଏବଂ ପୋଲିଂ ସରଞ୍ଜାମ ଧରି ବୁଥ ଅଭିମୁଖେ ଯାତ୍ରା କରିଛନ୍ତି। ମୋଟ ୨୫୨ ବୁଥକୁ ୨୧୮ ଜଣ ପୋଲିଂ ପାର୍ଟି ଯାଇଥିବାବେଳେ ବାକି ମତଦାନ ପୂର୍ବରୁ ବୁଥଗୁଡ଼ିକରେ ପହଞ୍ଚିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

୨୫୨ଟି ବୁଥ ପାଇଁ ୩୦ ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି। ବୁଥଗୁଡ଼ିକ ମଧ୍ୟରୁ ମୋଟ ୧୧୦ଟି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୬୦ଟି ସମ୍ବେଦନଶୀଳ ଏବଂ ୫୦ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହା ସହିତ ୧୫ଟି ମଡେଲ ବୁଥ ଏବଂ ୫ଟି ପିଙ୍କି ବୁଥ୍ କରାଯାଇଛି।

ଶାନ୍ତିପୂର୍ଣ୍ଣ ଭାବେ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ସହଯୋଗ କରିବାକୁ ଧାମନଗର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ।

Tags: #Politics #OdishaPolitics #Election #ByElection #DhamnagarByElection #Voting

Comment