ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା। ଏବେ ଇଭିଏମରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୬ ତାରିଖରେ ଜଣାପଡ଼ିବ କାହାର ହେବ ଧାମନଗର।

ଆଜି ସକାଳ ୭ଟାରୁ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଚାଲିଥିବା ମତଦାନ ପ୍ରକ୍ରିୟା ଶେଷ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ସାବ୍ୟସ୍ତ କରିଛନ୍ତି ଧାମନଗର ଭୋଟର। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସୁଦଶା ବ୍ରତ ଥିଲେ ମଧ୍ୟ ମହିଳା ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରିଥିଲେ।

ସନ୍ଧ୍ୟା ୬ଟା ସୁଦ୍ଧା ୬୬.୬୩ ପ୍ରତିଶତ ମତଦାନ

ଧାମନଗର ନିର୍ବାଚନ ମଣ୍ଡଳୀର କିଛି ବୁଥରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇରୁ ୪ଟି ବୁଥ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାମଲା ଥାନାରେ ପହଞ୍ଚିଛି। ମାତ୍ର କୋତୋଟି ବୁଥରେ ଉତ୍ତେଜନା ଦେଖାଦେଇଥିବାବେଳେ ଅନ୍ୟ ସମସ୍ତ ବୁଥରେ ଶୃଙ୍ଖଳାର ସହ ମତଦାନ ସରି ଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୬ଟା ସୁଦ୍ଧା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ୬୬.୬୩ ପ୍ରତିଶତ ମତଦାନ ହୋଇଛି।

ଭୋଟ ଦେଇପାରିଲେନି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

କଡ଼ା ସୁରକ୍ଷା ମଧ୍ୟରେ ଧାମନଗର ବିଧାନସଭା ଉପନିର୍ବାଚ ଲାଗି ଭୋଟରମାନେ ମତଦାନ କରିଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଏବଂ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ନିଜ ବୁଥରେ ମତଦାନ ସାବ୍ୟସ୍ତ କରିଥିଲେ। କିନ୍ତୁ ଭୋଟ ଦେଇପାରି ନାହାନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଭୋଟର ତାଲିକାରେ ନାଁ ନଥିବାରୁ ସୂର୍ଯ୍ୟବଂଶୀ ସୂରଜ ମତଦାନ କରିବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

ବିଜେଡି ପ୍ରାର୍ଥୀଙ୍କ ଗାଡ଼ିକୁ ନେଇ ବିବାଦ

ଅଳ୍ପ କେତେକ ବୁଥରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଇଥିବାବେଳେ ଅନ୍ୟ ସମସ୍ତ ବୁଥରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିଛନ୍ତି ଭୋଟ। କିନ୍ତୁ ଦଳୀୟ ଚିହ୍ନ ଥିବା ଗାଡ଼ି ନେଇ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବୁଥ ନିକଟକୁ ଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଖିଲା।

ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ଧାମନଗର ବିଧାନସଭା ଉପନିର୍ବାଚନ। ଏବେ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୬ ତାରିଖରେ ଖୋଲିବ ସିଲ୍। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨୫୨ଟି ବୁଥରେ ମତଦାନ କରିଥିଲେ ଧାମନଗରର ୨,୩୮,୪୧୭ ଜଣ ଭୋଟର। ମତଦାନ ଶେଷ ହେବା ପରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଉପସ୍ଥିତିରେ ଇଭିଏମ ସିଲ୍ କରିଥିଲେ ପୋଲିଂ ଅଧିକାରୀ। ଏହା ପରେ ସେଗୁଡ଼ିକୁ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହାକୁ ୨୪ ଘଣ୍ଟା ସିସିଟିଭି ନଜରରେ ରଖାଯିବ। ଷ୍ଟ୍ରଙ୍ଗ ରୁମ ପରିସରରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #Politics #Election #ByElection #DhamnagarByelection #Voting

Comment