ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଧାମନଗର ଭୋଟର। ଏହାରି ମଧ୍ୟରେ ମତଦାନ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ। ସୁଦଶା ବ୍ରତ ପୂଜା ସାରି ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ୭୮ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ଅବନ୍ତୀ ଦାସ।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମୋଟ ୨୫୨ଟି ବୁଥରେ ମତଦାନ କରୁଛନ୍ତି ଭୋଟର। ଧାମନଗର ନିର୍ବାଚନ ମଣ୍ଡଳୀର ୨,୩୮,୪୧୭ ଜଣ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ। ମୋଟ ଭୋଟରଙ୍କ ମଧ୍ୟରୁ ୧,୨୩,୩୮ ଜଣ ପୁରୁଷ ଏବଂ ୧,୧୫,୩୪୬ ମହିଳା ଭୋଟର ରହିଛନ୍ତି।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ସହ ସ୍ଵାଧୀନ ପ୍ରାର୍ଥୀନଙ୍କ ମଧ୍ୟରେ ଚାଲିଛି ନିର୍ବାଚନ ଲଢ଼େଇ। ଧାମନଗର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାର ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଗତ ସେପ୍ଟେମ୍ବର ୧୯ ତାରିଖରେ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ଅକାଳ ବିୟୋଗ ପରେ ଏହି ଆସନ ପାଇଁ ଉପନିର୍ବାଚନ ହେଉଛି।

Tags: #Politics #OdishaPolitics #DhamnagarByelection #AbantiDas #Voting

Comment