ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି(ଆପ)। ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ଶୁକ୍ରବାର ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗଡ଼ଭୀଙ୍କ ନାଁ ଘୋଷଣା କରିଛନ୍ତି।

ଅରବିନ୍ଦ କେଜ୍ରିବାଲ ଗତ ଅକ୍ଟୋବର ୨୯ ତାରିଖରେ ସୁରଟଠାରେ ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରି ସାଧାରଣ ଜନତା କାହାକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ପଚାରିଥିଲେ। ଏହା ସହିତ ଭୋଟିଂ ପାଇଁ ଦଳ ପକ୍ଷରୁ ଏକ ନମ୍ବର ଜାରି କରାଯାଇଥିଲା। ଜନମତ ଆଧାରରେ ଆଜି ଆପ୍ ନିଜର ପ୍ରାର୍ଥୀ ଘୋଷଣା କରିଛି।

ଏହି ରେସରେ ଆମ ଆଦମୀ ପାର୍ଟିର ପଟିଦାର ନେତା ଗୋପାଲ ହଟାଲିଆ, ଅଳ୍ପେଶ କଥେରିଆ, କଂଗ୍ରେସ ଛାଡ଼ି ଆପରେ ସାମିଲ ହୋଇଥିବା ଇନ୍ଦ୍ରନୀଲ ରାଜ୍ୟ ଗୁରୁ ଏବଂ ମନୋଜ ସୁରଥିଆ ସାମିଲ ଥିଲେ। ଶେଷରେ ଗୁଜରାଟର ୧୬,୪୮,୫୦୦ରୁ ଅଧିକ ଲୋକଙ୍କ ମତାମତ ଆଧାରରେ ପୂର୍ବତନ ସାମ୍ବାଦିକ ଇସୁଦ ଗଢ଼ଭୀଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିବାଲ। ଇସୁଦାନ ଗଢ଼ଭୀ ଆମ ଆଦମୀ ପାର୍ଟିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଅଛନ୍ତି।

ଗୁରୁବାର ଦିନ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଆସନ୍ତା ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୫୧ ହଜାରରୁ ଅଧିକ ମତଦାନ କେନ୍ଦ୍ର କରାଯିବ। ସେଥିମଧ୍ୟରୁ ୩୪ ହଜାର ୨୭୬ଟି କେନ୍ଦ୍ର ଗ୍ରାମାଞ୍ଚଳରେ ଏବଂ ୧୭ ହଜାର ୫୦୬ଟି ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନଭେମ୍ବର ୫ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରେ ଗ୍ୟାଜେଟ ନୋଟିଫିକେସନ ପ୍ରକାଶ ପାଇବ। ସେହିପରି ନଭେମ୍ବର ୫ରୁ ୧୪ ତାରିଖ ମଧ୍ୟରେ ପ୍ରାଥମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ରୁ ୧୭ ତାରିଖ ଭିତରେ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ ହୋଇଛି।

ନଭେମ୍ବର ୧୫ ଓ ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୧୭ ଓ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ଗୁଜରାଟରେ ମୋଟ ୧୮୦ଟି ବିଧାନସଭା ଆସନ ଲାଗି ଭୋଟ ହେବ। ୪ କୋଟି ୯୦ ଲକ୍ଷ ଭୋଟର ମତଦାନ କରିବେ। ଆସନ୍ତା ଡିସେମ୍ବର ୮ ତାରିଖରେ ଏହି ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Tags: #Politics #IndianPolitics #GujratPolitics #GujratAssemblyElection #AAP #CMCandidate

Comment