ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ଣ୍ଣ ହେବ। ଏହି ଅବସରରେ ବରଗଡ଼ ଧନୁଯାତ୍ରା କମିଟି ପକ୍ଷରୁ ପାଳନ କରାଯିବ ହୀରକ ଜୟନ୍ତୀ। ଏହାକୁ ଆହୁରି ଆକର୍ଷଣୀୟ କରିବା ଲାଗି ଚାଲିଛି ପ୍ରସ୍ତୁତି। ଏହାରି ମଧ୍ୟରେ ନୂତନ କଳାକାର ଚୟନ କରିବାକୁ ନିଆଯାଇଛି ନିଷ୍ପତ୍ତି।

ଖୋଲା ମଞ୍ଚରେ ଅଭିନୟ ସୁଯୋଗ ପାଇଁ ଅନେକ କଳାକାର ଆଗେଇ ଆସିଛନ୍ତି। ବିଭିନ୍ନ ଭୂମିକାରେ ଅଭିନୟ ପାଇଁ କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରତିଦ୍ଵନ୍ଦ୍ଵିତା। ବରଗଡ଼ର ଏହି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆବେଦନ କରିଛନ୍ତି ୨୨୩ରୁ ଊର୍ଦ୍ଧ୍ଵ କଳାକାର। ଏହି ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା କଂସ ଚରିତ୍ର ପାଇଁ ଆବେଦନ କରିଛନ୍ତି ୬୦ରୁ ଅଧିକ କଳାକାର। ଏଥର ଚୟନ ପ୍ରକ୍ରିୟା ବେଶ ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।

ଆବେଦନ କରିଥିବା ମୋଟ କଳାକାରଙ୍କ ମଧ୍ୟରେ ୨୨ଜଣ ମହାମନ୍ତ୍ରୀ ଚରିତ୍ରରେ ଅଭିନୟ ପାଇଁ ଆଦେନ କରିଥିବାବେଳେ ୪ ଜଣ ସାର୍ତ୍ତକୀ ପାଇଁ, ୧୦ ଜଣ ଚାଣୁର ମୁଷ୍ଟିକ ପାଇଁ ଆବେଦନ କରିଛନ୍ତି। ସେହିପରି ୧୭ ଜଣ ଅକ୍ରୁର ଭୂମିକା ପାଇଁ ଆବେଦନ କରିଥିବାବେଳେ ୧୯ ଜଣ ବସୁଦେବ, ୧୪ ଜଣ ନାରଦ, ୭ ଜଣ ଉଗ୍ରସେନ ପାଇଁ ଏବଂ ୮ ଜଣ ଦେବକୀ ଭୂମିକାରେ ଅଭିନୟ କରିବା ପାଇଁ ଆବେଦନ କରିଛନ୍ତି।

ଆସନ୍ତା ୭, ୯ ଏବଂ ୧୦ ତାରିଖ ତିନି ଦିନ ଚାଲିବ କଳାକାର ଚୟନ ପ୍ରକ୍ରିୟା। ୧୦ ତାରିଖରେ କେବଳ ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ କରିବାକୁ ବଛା ହେବେ କଳାକାର। କଂସ ଚରିତ୍ର ପାଇଁ ଆବେଦନ କରିଥିବା ଦୁଇଜଣଙ୍କ ବୟସ ୬୦ ଟିପି ଥିବାରୁ ସେମାନଙ୍କୁ ଏଥିରୁ ବାଦ ଦିଆଯାଇଥିବା ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା ବନ୍ଦ ରହିଥିଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ପୁଣି ଖୋଲା ମଞ୍ଚରେ ଅନୁଷ୍ଠିତ ହେବ ଏହି ଯାତ୍ରା। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଧନୁଯାତ୍ରା ୧୧ ଦିନ ଧରି ଚାଲିବ। ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ ହେବାକୁ ଥିବାରୁ ଏଥର ପ୍ରସ୍ତୁତି ଆହୁରି ଜୋରସୋର ହେବ। ଏ ବର୍ଷ ଧନୁଯାତ୍ରାରେ ପ୍ରବଳ ଜନସମାଗମ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭିଡ଼ ନିୟନ୍ତ୍ରଣ ଏବଂ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Tags: #DhanuJatra #Bargarh #DiamondJubilee #Celebration #Tradition

Comment