ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ବାଲିଯାତ୍ରା ପାଇଁ କୁଆଖାଇ ନଦୀ ପଠା ଏବେ ଚଳଚଞ୍ଚଳ ହୋଇପଡ଼ିଛି। ନଭେମ୍ବର ୮ ତାରିଖରୁ ଆକର୍ଷଣୀୟ ଲାଇଟରେ ଝଲସି ଉଠିବ ବାଲିଯାତ୍ରା ପଡ଼ିଆ। ରାସ୍ତାରେ ଲାଇଟ୍, ପଡ଼ିଆରେ ହାଇମାକ୍ସ ଲାଇଟ୍ ଯୁଦ୍ଧକାଳୀନ ଭିତ୍ତିରେ ଲଗାଯାଇଥିବା ବେଳେ ପାନୀୟ ଜଳର ବ୍ୟବସ୍ଥା ସହିତ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ରବିବାର ଷ୍ଟଲ୍ ବଣ୍ଟନ କରିଦିଆଯାଇଛି। ମୁଖ୍ୟ ମଞ୍ଚ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଛି। ମଞ୍ଚ ପଛ ପାଖରେ ଐତିହ୍ୟ ସମ୍ପନ୍ନ କୋଣାର୍କ ମନ୍ଦିରର ଚିତ୍ର ରହିବାର ଯୋଜନା କରାଯାଇଛି। ସେହିପରି ବାଲିଯାତ୍ରା ମୁଖ୍ୟ ତୋରଣ କୋଣାର୍କ ଢାଞ୍ଚାରେ ପ୍ଲାଷ୍ଟର ପ୍ୟାରିସରେ ତିଆରି କରାଯାଇଛି।

ବାଲିଯାତ୍ରା କମିଟି ଏବଂ ପୋଲିସ ପ୍ରଶାସନ ବେଶ ତତ୍ପର ହୋଇଉଠିଛି। ରାସ୍ତାଘାଟ ନିର୍ମାଣ ସହ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଟେଣ୍ଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ମଞ୍ଚେଶ୍ଵର ଗଡ଼ଠାରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ କୁଆଖାଇ ନଦୀବନ୍ଧକୁ ଆଲୋକୀକରଣ କରାଯାଇଛି। ବୋଇତ ବନ୍ଦାଣ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜକମାନେ ଅଣ୍ଟା ଭିଡ଼ିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସ୍ଥାନ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରାଯାଉଛି।

ପୋଲିସ ସୂଚନା ଅନୁସାରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ ସହ ଉତ୍ସବ କମିଟି ପକ୍ଷରୁ ୨୦୦ରୁ ଅଧିକ ସ୍ଵେଚ୍ଛାସେବୀ ମୁତୟନ ହେବେ। ପାର୍କିଂସ୍ଥଳ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ଵ ଦିଆଯିବ। ଫାୟାର ସେଫ୍ଟି, ଆମ୍ବୁଲାନ୍ସ ସହିତ ୩୫ରୁ ଅଧିକ ସିସିଟିଭି କ୍ୟାମେରା, ମହିଳା ସୁରକ୍ଷା କର୍ମୀ ଓ ସ୍ଵେଚ୍ଛାସେବୀ, ସୂଚନା କେନ୍ଦ୍ର ଖୋଲାଯିବ। ଚଳିତ ବର୍ଷ ପାଲା ଦାଶକାଠିଆ ଠାରୁ ଆରମ୍ଭ କରି ଘୋଡ଼ା ନାଚ ଏବଂ ସଂକୀର୍ତ୍ତନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମିନାବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। କମିଟି ଏବଂ ପୋଲିସ ପ୍ରଶାସନ ଉଭୟ ମିଳିତ ଭାବେ ଶୃଙ୍ଖଳା ରକ୍ଷା କରିବେ।

Tags: #Bhubaneswar #Balijatra #KuakhaiRiverBank #CulturalProgram

Comment