ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଏ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। ଆସନ୍ତା ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ପଦ୍ମପୁର ଉପନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସଂ ବରିହା ବିଜୁ ଜନତା ଦଳ ଟକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଏବେ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #Election #ByElection #PadampurAssemblyByElection

Comment