ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦେତୁବାଦୀ ଏବଂ ପରମ୍ପରାବାଦୀ। ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।

ଚନ୍ଦ୍ରଗ୍ରହଣରେ ଭକ୍ଷଣକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ। ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ଵରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି। ଟେକା ପଥର ମାରିଛନ୍ତି ପରମ୍ପରାବାଦୀ।

ପରମ୍ପରାବାଦୀମାନେ ହେତୁବାଦୀ ଲଗାଇଥିବା ବ୍ୟାନର ଫାଡ଼ି ତୁମ୍ବିତୋଫାନ କରିବା ସହ ଗୋବର ଏବଂ ଢେଲାମାଡ଼ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଉଭୟ ଗୋଷ୍ଠୀଙ୍କୁ ଆୟତ କରିବା ଲାଗି ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା। ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ମଧ୍ୟ ହୋଇଛନ୍ତି। ହେଲେ ବିରୋଧ କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ପରମ୍ପରାବାଦୀ।

ସେହିପରି ବ୍ରହ୍ମପୁରରେ ସ୍ଥିତି ଅଧିକ ଜଟିଳ ହୋଇଛି। ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ। ଟେଣ୍ଟ ଭାଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ହେତୁବାଦୀଙ୍କ ବ୍ୟାନର ଚିରି ଗୋବର ମାଡ କରିଥିବା ଦେଖିବାକୁ ମିଳିଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ହେତୁବାଦୀଙ୍କୁ ଘଟଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି।ଏହା ପୂର୍ବରୁ ଗତ ୧୫ ଦିନ ତଳେ ସୂର୍ଯ୍ୟ ପରାଗ ଦିନ ମଧ୍ୟ ଭୁବନେଶ୍ଵରଠାରେ ହେତୁବାଦୀମାନଙ୍କ ଚିକେନ ବିରିଆନି ଖାଇବାକୁ ନେଇ ବିବାଦ ଉଠିଥିଲା। ଏପରିକି କିଛି ହେତୁବାଦୀଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଚନ୍ଦ୍ର ଗ୍ରହଣ ଅବସରରେ ହେତୁବାଦମାନେ ଏହି ଘଟଣାର ପୁନରାବୃତ୍ତି କଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ପରମ୍ପରାବାଦୀ।

କିନ୍ତୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅବସରରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Tags: #LunarEclipse #Bhubaneswar #FaceOff #Rationalist #Ritualist #Berhampur

LEAVE A REPLY

Please enter your comment!
Please enter your name here