ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ‘ଆମ ବାଲିଯାତ୍ରା’। ଭୁବନେଶ୍ୱର କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଏ ବର୍ଷର ବାଲିଯାତ୍ରା। ଦୁଇ ବର୍ଷ ପରେ ଭୁବନେଶ୍ୱରରେ ବାଲିଯାତ୍ରାର ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ଦିନ ଦର୍ଶକଙ୍କ ଭରପୁର ଭିଡ଼ ଜମିଥିବାବେଳେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଜନଗହଳି ଦେଖିବାକୁ ମିଳିଛି।

ପିଲାଠାରୁ ବୁଢ଼ ପର୍ଯ୍ୟନ୍ତ ରାଜଧାନୀ ବାଲିଯାତ୍ରାର ମଜା ନେଉଛନ୍ତି। କେବଳ ଭୁବନେଶ୍ୱରୀଆ ନୁହଁନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୁଅଛୁଟିଛି ଆମ ବାଲିଯାତ୍ରାକୁ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାନା ଘରକରଣା ସାମଗ୍ରୀ, ତା’ ସାଙ୍ଗକୁ ସୁଆଦିଆ ଖାଦ୍ୟର ଆନନ୍ଦ ନେଉଛନ୍ତି ଲୋକେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ସୁହାଉଛି ଭୁବନେଶ୍ୱରର ଏହି ବାଲିଯାତ୍ରା। ବିଭିନ୍ନ ଦୋଳି ଏବଂ ଖେଳଣା ଦୋକାନ ଆଗରେ ପିଲାଙ୍କ ଅଝଟ ଦେଖିବାକୁ ମିଳୁଛି।

ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜନ କରାଯାଇଛି ବାଲିଯାତ୍ରାର ଚତୁର୍ଥ ସଂସ୍କରଣ। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା କୋଭିଡ ମହାମାରୀ ପାଇଁ ଦୁଇବର୍ଷ ହୋଇ ପାରିନଥିଲା। ଦୁଇବର୍ଷ ପରେ ଆୟୋଜିତ ଏହି ବାଲିଯାତ୍ରାକୁ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟନ କରାଯାଇଛି। ଏଥରରେ ପ୍ରାୟ ୫୦୦ ଷ୍ଟଲ୍ ପଡ଼ିଥିବାବେଳେ ୫୦ରୁ ଅଧିକ ବେପାରୀ ଖୋଲାରେ ବିକ୍ରି କରୁଛନ୍ତି।

ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଭୁବନେଶ୍ୱର ବାଲିଯାତ୍ରାକୁ ଓଡ଼ିଶା ସଂସ୍କୃତି ଓ ପରମ୍ପରା କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ ବୋଲି କହିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା। ଏହି ଅବସରରେ ଭୁବନେଶ୍ୱର ବାଲିଯାତ୍ରାକୁ ନେଇ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Tags: #BaliJatra #AmaBaliJatra #Bhubaneswar #Kuakhai #Culture #Tradition

Comment