ଓଡ଼ିଶାଲାଇଭ୍ ବ୍ୟୁରୋ

ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାନସଭାରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜିଠାରୁ ବିଧିବଦ୍ଧ ଭାବେ ବିଧାୟକ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଶପଥ ଗ୍ରହଣ ଉତ୍ସବରେ ସୂରଜଙ୍କ ସହ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ବିଜେପି ନେତାମାନେ ଉପସ୍ଥିତ ଥିଲେ।

ଶପଥ ନେବା ପରେ ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ନିଜ ବିଜୟର ସମସ୍ତ ଶ୍ରେୟ ସେ ଧାମନଗରବାସୀଙ୍କୁ ଦେଇଛନ୍ତି। ଧାମନଗର ବିକାଶରେ ସେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ଖାଲିପଡ଼ିଥିଲା। ଏହି ଆସନ ପାଇଁ ଗତ ୩ ତାରିଖରେ ଉପନିର୍ବାଚନ ହୋଇ ୬ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୮୦,୩୫୧ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ପ୍ରାୟ ୯,୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ସୂରଜ।

Tags: #Politics #OdishaPolitics #SuryabansiSuraj #Dhamnagar #OathTaking #BJP

Comment