ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ହକି ଗ୍ରାଉଣ୍ଡରେ ଥିବା ଟର୍ଫଗୁଡ଼ିକୁ ଏଫ୍‌ଆଇଏଚ୍ ମାନ୍ୟତା ପ୍ରଦାନ କରିଛି। ଏଫଆଇଏଚ୍ ବିଭିନ୍ନ ଦେଶର ହକି ଟର୍ଫଗୁଡ଼ିକୁ ମାନ୍ୟତା ଦେଇଆସୁଛି। ଏହା ଦ୍ୱାରା ଉଚ୍ଚମାନର ହକି ପଡ଼ିଆ ନିର୍ମାଣ ସହ ଖେଳର ପ୍ରଦର୍ଶନକୁ ଉଚ୍ଚମାନର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଏଫଆଇଏଚ୍ ଏକ ଅନ୍ତର୍ଜାତୀୟ ମାନର କ୍ଵାଲିଟି ଆସ୍ୟୋରାନ୍ସ ଯୋଜନା କାର୍ଯ୍ୟକାରୀ କରିଛି।

ଗ୍ରାଉଣ୍ଡର ନିର୍ମାଣ, ପ୍ରଦର୍ଶନ ଆଦି କେତେକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଏ। ଏହା ବିଭିନ୍ନ କ୍ୟାଟେଗୋରିର ହୋଇଥାଏ ଯଥା କ୍ୟାଟେଗୋରି ୧,୨,୩।

ଆମ ରାଜ୍ୟରେ ପ୍ରଥମରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଭଳି ସହରରେ ଥିବା କିଛି ମୁଖ୍ୟ ଟର୍ଫଗୁଡ଼ିକ ଏଫ୍‌ଆଇଏଚ୍ ମାନ୍ୟତା ପାଇସାରିଥିବା ବେଳେ ଏବେ ଏଥିରେ ଆଉ ୩ଟି ଗ୍ରାଉଣ୍ଡ ଯୋଡ଼ିହୋଇଛି। ଏଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲ୍ଲାର ଓଡ଼ିଶା ସ୍ପୋର୍ଟସ ହଷ୍ଟେଲ ପନପୋଷର ପିଚ୍-୧ ଓ ଯୋଗୀମାଳର ବିଏସ୍‌ଡିଜିଏମ୍ ହାଇସ୍କୁଲ ଏବଂ ସମ୍ବଲପୁର ଜିଲ୍ଲାର ଜୁଜୁମରା ହାଇସ୍କୁଲରେ ଥିବା ଗ୍ରାଉଣ୍ଡ। ଏସବୁର ନିର୍ମାଣ, ପ୍ରଦର୍ଶନ ଆଦି ଦୃଷ୍ଟିରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ଓଡ଼ିଶାର ୭ଟି ଗ୍ରାଉଣ୍ଡରେ ଥିବା ଟର୍ଫକୁ ଏଫଆଇଏଚ୍ ମାନ୍ୟତା ମିଳିଛି।

ପନପୋଷର ସ୍ପୋର୍ଟସ ହଷ୍ଟେଲ ପିଚ୍ – ୧କୁ କ୍ୟାଟେଗୋରି ୨ ମାନ୍ୟତା ମିଳିଥିବା ବେଳେ ଅନ୍ୟ ଦୁଇଟି ଟର୍ଫକୁ କ୍ୟାଟେଗୋରି ୩ ମାନ୍ୟତା ମିଳିଛି। ଏହି ମାନ୍ୟତା ଓଡ଼ିଶାରେ ହକି ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।

Tags: #HockeyTurf #HIF #HockeyPitch #Odisha #Rourkela #Bhubaneswar

Comment