ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଏହି ନିର୍ବାଚନ ଲାଗି କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। କିନ୍ତୁ ନିର୍ବାଚନ ବୈତରଣୀ ପାର ହେବା ଲାଗି ଚାଲିଛି ରାଜନୈତିକ ଅଙ୍କକଷା।

ଗୋଟିଏ ପଟେ ପ୍ରଥମ ପର୍ଯ୍ୟାୟରେ ବିଜେଡି ୬ ଜଣ ମନ୍ତ୍ରୀଙ୍କୁ ପଦ୍ମୁପୁର ଦାୟିତ୍ଵ ଦେଇଥିବାବେଳେ ବିଜେପି ମଧ୍ୟ ବରିଷ୍ଠ ନେତାକୁ ଦାୟିତ୍ଵ ବାଣ୍ଟିଛି। ନିକଟରେ ଧାମନଗର ବିଧାନସଭା ଉପନିର୍ବାଚନରେ ବାଜି ମାରିଥିବା ବିଜେପି ପଦ୍ମପୁରରେ ବିଜୟ ପାଇଁ ଅଣ୍ଟା ଭିଡ଼ିଛି। ବିଜେଡି କିନ୍ତୁ ଏଥର ପଦ୍ମପୁରରେ ଜିତିବାକୁ ଆଶା ବାନ୍ଧିଛି।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସଂ ବରିହା ବିଜୁ ଜନତା ଦଳ ଟକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Tags: #Politics #OdishaPolitics #Election #Byelection #PadampurByElection #Notification

Comment