ଓଡ଼ିଶାଲାଇଭ୍ ବ୍ୟୁରୋ

  • ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର
  • ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ
  • ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ
  • ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ
  • ସମ୍ପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଲା ହିଞ୍ଜିଳିକାଟୁ ଓ ଦିଗପହଣ୍ଡି

ସହରରେ ଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ଭଲ ଦିନ ଆସିଛି। ଯେଉଁମାନେ ଆମ ସହରକୁ ଗଢ଼ନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ସେମାନଙ୍କ ଭଲମନ୍ଦର ଦାୟିତ୍ଵ ରାଜ୍ୟ ସରକାର ନେଉଛନ୍ତି। ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ଥାନୀୟ କିଟ୍ କନଭେନସନ ହଲଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ବସ୍ତି ଉନ୍ନୟନ ପାଇଁ ବହୁ ଗୁରୁତ୍ଵର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାମାନଙ୍କୁ ଭୂମି ଅଧିକାର ଦେବା ଲାଗି ଆରମ୍ଭ ହୋଇଛି ଡ୍ରୋନ ସର୍ବେକ୍ଷଣ। ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ଵକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ। ହିଞ୍ଜିଳିକାଟୁ ଏବଂ ଦିଗପହଣ୍ଡିକୁ ସମ୍ପୂର୍ଣ୍ଣ ବସ୍ତିମୁକ୍ତ ସହର ଭାବେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ଵରେ ସୁନାମ ଅର୍ଜନ କରିଛି। ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି। ଏ ମିଶନର ଫୋକସ ହେଉଛି ‘ପିପୁଲ ଫାର୍ଷ୍ଟ’। ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି।”

ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘଗୁଡ଼ିକର ଗୁରୁତ୍ଵର୍ଣ୍ଣ ଭୂମିକା ରହିଛି। ସଂଘଗୁଡ଼ିକୁ ଆମେ ସରକାରଙ୍କ ଚତୁର୍ଥ ସଂଘ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ବସ୍ତି ଉନ୍ନୟନ ସଂଘଗୁଡ଼ିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ। ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ସଂଘଗୁଡ଼ିକୁ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ କରିବାରେ ଏକ ଗୁରୁତ୍ଵର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଖୁସି ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ରାଜ୍ୟର ସହର ତଥା ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଉଚ୍ଚପ୍ରଶଂସା କରିବା ସହ ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥାନନ ସ୍ଵାଗତ ଭାଷଣ ଦେଇଥିବାବେଳେ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।

Tags: #JagaMission #Odisha #CMOdisha #NaveenPatnaik #Basti #Slum

Comment