ଓଡ଼ିଶା ଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେ ଏହି ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଛନ୍ତି।

କମିଶନ ଫର୍ସାଇଣ୍ଟିଫିକ୍ ଆଣ୍ଡ୍ ଟେକ୍ନିକାଲ ଟର୍ମିନୋଲୋଜି (ସିଏସଟିଟି) ଦ୍ୱାରା ବିକଶିତ ତ୍ରିଭାଷି (ହିନ୍ଦୀ, ଇଂରାଜୀ, ଓଡ଼ିଆ) ଯାନ୍ତ୍ରିକ ଶବ୍ଦକୋଷର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି। ଏହାସହ ଅଲ୍ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେଶନ (ଏଆଇସିଟିଇ)ର e-KUMBH (ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ) ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି।

ଏହି ଅଭିନବ ପଦକ୍ଷେପ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ସମ୍ବୋଧନ କରି କହିଛନ୍ତି ଯେ, “ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡିତ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସହ ବୌଦ୍ଧିକ ବିକାଶ ହେବ। ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେବା ସହ ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ତାହା ସୁନିଶ୍ଚିତ କରିବା ଦରକାର। ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ କୌଣସି ଅସୁବିଧା ହେବନି ବୋଲି ମୋର ବିଶ୍ୱାସ।”

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ। ସେଠାରେ ଅନେକ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପାଠ୍ୟପୁସ୍ତକ ବଣ୍ଟନ କରିଥିଲେ।

Tags: #OdiaLanguageEngineeringBook #PresidentOfIndia #DraupadiMurmu #NaveenPatnaik #DharmendraPradhan

LEAVE A REPLY

Please enter your comment!
Please enter your name here