ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଚାଷୀ ମେଳା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ‘ଜଳ ଶକ୍ତି ଅଭିଯାନ’ ଅଧୀନରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା।

ବର୍ଷା ଜଳ ସଂରକ୍ଷଣ ଓ ଏହାର ପରିଚାଳନା ସହିତ ଭୂତଳ ଜଳସ୍ତର ବୃଦ୍ଧି ଆଦି ବିଷୟରେ ଚାଷୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା। ବର୍ଷା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ଚେକ୍ ଡ୍ୟାମ ନିର୍ମାଣ ସହ ପୋଖରୀ ଖନନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ଫଳରେ ଭୂତଳ ଜଳସ୍ତର ନିୟନ୍ତ୍ରଣ ହେବା ସହ ଆବଶ୍ୟକସ୍ଥଳେ ଏହାକୁ ଚାଷ କାମରେ ବ୍ୟବହାର କରାଯାଇ ପାରିବ ବୋଲି କୃଷି ବୈଜ୍ଞାନିକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଚାଷୀମାନଙ୍କୁ କହିଥିଲେ।

 

ଏହି ଅବସରରେ ଚାଷୀମାନଙ୍କୁ ଜଳ ସେଚନ ଲାଗି ସରକାରଙ୍କର ରହିଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା। ଚାଷୀମାନେ କିପରି ଭଲ ଫସଲ ଅମଳ କରି ଲାଭବାନ ହେବେ ସେ ବିଷୟରେ ଏହି ମେଳାରେ ଆଲୋଚନା କରାଯାଇଥିଲା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଚାଷୀମାନେ ଏହି ଯନ୍ତ୍ରପାତି ବୁଲି ଦେଖିବା ସହ ଏହାର ପରିଚାଳନା ବିଷୟରେ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ୩୦୦ରୁ ଅଧିକ ଚାଷୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଲକ୍ଷ୍ମୀପ୍ରିୟା ପ୍ରଧାନ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ, ନାବାର୍ଡର ଡିଡିଏମ ତାପସ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Tags: #Sundarharh #ScientistInteraction #FarmersMela #DistrictLevelFarmersMeet

Comment