ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି। ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଏକ ଜନସଭାରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତିଙ୍କ ବର୍ଣ୍ଣକୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି ଅଖିଳ ଗିରି।

ଆମେ ରାଷ୍ଟ୍ରପତିଙ୍କ ସ୍ଥାନକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଥିଲେ ଅଖିଳ ଗିରି। ଯାହାକୁ ନେଇ ସରଗରମ ହୋଇଛି ରାଜନୀତି। ତୃଣମୂଳ କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଅଖିଳ ଗିରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ହୋଇଥିବାରୁ ଏବେ ବିଭିନ୍ନ ଦଳ ତାଙ୍କୁ ଟାର୍ଗଟେ କରିଛି। ଏହା ପୂର୍ବରୁ ଗତ ଜୁଲାଇ ମାସ ୨୮ ତାରିଖରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନ କରି ଅଡ଼ୁଆରେ ପଡ଼ିଥିଲେ। ଘଟଣାକୁ ନେଇ ରାଜନୈତିକ ପାଣିପାଗ ବଦଳିବା ପରେ ଘଟଣା ପରଦିନ ରାଷ୍ଟ୍ରପତିଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ଅଧୀର ରଞ୍ଜନ।

ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି ଏହି ବିବାଦୀୟ ମନ୍ତବ୍ୟ ଦେବା ବେଳେ ଜଣେ ମନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ବିଜେପି ଦାବି କରିଛି। ମମତା ବାନାର୍ଜୀ ଆଦିବାସୀ ବିରୋଧୀ ବୋଲି ବିଜେପି ଅଭିଯୋଗ କରିବା ସହ ଅଖିଳ ଗିରି ନାରୀଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି ବୋଲି ଦଳ କହିଛି।

ସହିଦ ଦିବସରେ ନନ୍ଦିଗ୍ରାମରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଖିଳ  ଗିରି ଅନ୍ୟ ଟିଏମସି ନେତାମାନେ ଜନସଭା କରିଥିଲେ। ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିବାକୁଯାଇ ଟିଏମସିର ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିବାଦ ମଧ୍ୟକୁ ଟାଣିଛନ୍ତି।

Tags: #DraupadiMurmu #Politics #Congress #TMC #PresidentOfIndia

Comment