ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସଓ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗରେ ପରୀକ୍ଷାର୍ଥୀଙ୍କ ଆବେଦନକୁ ଅଗ୍ରାହ୍ୟକରି ମାମଲାର ଅନ୍ତ ଘଟାଇଲେ ଓଡ଼ିଶା ହାଇକୋର୍ଟ। ୨୦୧୬ ପଲିସି ଅନୁସାରେ ଏଏସଓ ପରୀକ୍ଷା ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓଡ଼ିଶା ଲୋକ ସେବା ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ଏହି ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାର ମୂଲ୍ୟାୟନରେ  ତ୍ରୁଟି ଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ। ଏହି ଅଭିଯୋଗକ୍ରମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀକ୍ଷାର୍ଥୀ।

ପରୀକ୍ଷା ନଦେଇଥିବା ପିଲା ପରୀକ୍ଷାରେ ପାସ କରିବା, ମାର୍କସିଟ ଓ କଟଅଫ ମାର୍କ ଆସିବାରେ ବିଳମ୍ବ ହେବା ଆଦି ଅଭିଯୋଗ କରି ଅନେକ ପରୀକ୍ଷାର୍ଥୀ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।

ସେପଟେ ଓପିଏସସି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ। କଟଅଫ ମାର୍କ ଏବଂ ଉତ୍ତର ଖାତା ନିର୍ଦ୍ଧାରିତ ସମୟରେ କମିଶନଙ୍କ ପକ୍ଷରୁ ପ୍ରକାଶିତ କରାଯିବ ଏନେଇ ବିଜ୍ଞପ୍ତିରେ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ବୋଲି ସଚିବ କହିଥିଲେ।

ଚଳତବର୍ଷ ଅଗଷ୍ଟ ୨୭ ତାରିଖରେ ହୋଇଥିବା ଏଏସଓ ପରୀକ୍ଷାର ରେଜଲ୍ଟ ବାହାରିବା ପରେ ଓପିଏସସି ବିଭିନ୍ନ ପକ୍ଷରୁ ତ୍ରୁଟି ହୋଇଥିବାର ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଥିଲେ।

Tags: #Asoexamresult #Odishahighcourt #OPSC #odisha

Comment