ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ ବିଜେଡି।

ବିଜେପି ଗତ ୧୧ ତାରିଖରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୧୨ ତାରିଖରେ ସତ୍ୟଭୂଷଣ ସାହୁଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ। ପଦ୍ମୁପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେଡିର ଆଶାୟୀଙ୍କ ଲମ୍ବା ତାଲିକା ଯୋଗୁଁ ଦଳକୁ ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କଂଗ୍ରେସରୁ ଲଢ଼ିବେ ସତ୍ୟଭୂଷଣ ସାହୁ

ଶନିବାର ଦିନ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ପଦ୍ମୁପର ମାଟିରେ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ସତ୍ୟଭୂଷଣ ସାହୁ। ଏଆଇସିସି ପକ୍ଷରୁ ଏକ ବିଜ୍ଞାପ୍ତି ଜାରି କରାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ କ୍ରମେ ସତ୍ୟଭୂଷଣଙ୍କ ନାଁରେ ମୋହର ବାଜିଥିଲା।

ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

କଂଗ୍ରେସର ପ୍ରାର୍ଥୀ ଘୋଷଣା ପୂର୍ବରୁ ଶୁକ୍ରବାର ଦିନ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ସୋମବାର ଦିନ ପ୍ରଦୀପ ପୁରୋହିତ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଦୀପ ପୁରୋହିତ ୨୦୧୪ ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ। ବିଜେଡି ନେତା ବିଜୟରଞ୍ଜନ ସିଂ ବାରିହାଙ୍କୁ ହରାଇ ସେ ବିଧାୟକ ହୋଇଥିଲେ। ମାତ୍ର ସେ ୨୦୧୯ ମସିହା ନିର୍ବାଚନ ହାରି ଯାଇଥିଲେ। ପରେ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି କରିଥିଲା।

ବିଜେଡିରେ ଏକାଧିକ ଆଶାୟୀ

ବର୍ତ୍ତମାନ ସୁଦ୍ଧା ବିଜେପି ଏବଂ କଂଗ୍ରେସ ପକ୍ଷରୁ ପାର୍ଥୀ ଘୋଷଣା ହୋଇଥିବାବେଳେ ବିଜେଡି ପଦ୍ମପୁର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ଆସନ ପାଇଁ ବହୁ ଆଶାୟୀ ରହିଥିବାରୁ ପ୍ରାର୍ଥୀ ବାଛିବା ନେଇ ଅଡୁଆରେ ପଡ଼ିଛି ବିଜେଡି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରିବାରରୁ ଏକାଧିକ ଆଶାୟୀ ରହିଥିବାରୁ କିଏ ବିଜେଡିର ପ୍ରାର୍ଥୀ ହେବ ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ଘୋଷଣା ହୋଇଛି।

ଡିସେମ୍ବର ୫ରେ ପଦ୍ମପୁର ବିଧାନସଭା ଉପନିର୍ବାଚନ

ଗତ ୧୦ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ ବୈତରଣୀ ପାର ହେବା ଲାଗି ଚାଲିଛି ରାଜନୈତିକ ଅଙ୍କକଷା। ଗୋଟିଏ ପଟେ ପ୍ରଥମ ପର୍ଯ୍ୟାୟରେ ବିଜେଡି ୬ ଜଣ ମନ୍ତ୍ରୀଙ୍କୁ ପଦ୍ମୁପୁର ଦାୟିତ୍ଵ ଦେଇଥିବାବେଳେ ବିଜେପି ମଧ୍ୟ ବରିଷ୍ଠ ନେତାକୁ ଦାୟିତ୍ଵ ବାଣ୍ଟିଛି। ନିକଟରେ ଧାମନଗର ବିଧାନସଭା ଉପନିର୍ବାଚନରେ ବାଜି ମାରିଥିବା ବିଜେପି ପଦ୍ମପୁରରେ ବିଜୟ ପାଇଁ ଅଣ୍ଟା ଭିଡ଼ିଛି। ବିଜେଡି କିନ୍ତୁ ଏଥର ପଦ୍ମପୁରରେ ଜିତିବାକୁ ଆଶା ବାନ୍ଧିଛି।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସଂ ବରିହା ବିଜୁ ଜନତା ଦଳ ଟକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Tags: #Politics #OdishaPolitics #PadampurByElection #BJD #BJP #Congress

Comment