ଓଡ଼ିଶାଲାଇଭ୍ ବ୍ୟୁରୋ

ବିରାଟ ପଟୁଆରରେ ଆସିଲେ ପ୍ରାର୍ଥିପତ୍ର ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ଫେରିଗଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏହିଭଳି ହାଇଡ୍ରାମା ଦେଖିବାକୁ ମିଳିଛି ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ସର୍ବ ପ୍ରଥମେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ସୋମବାର ଦିନ ପ୍ରଦୀପ ପୁରୋହିତ ପ୍ରାର୍ଥିପତ୍ର ଦାଖଲ କରିବାକୁ ପୂର୍ବରୁ ଘୋଷଣା କରିଥିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ଫେରିଗଲେ ବିଜେପି ପ୍ରାର୍ଥୀ

ପୂର୍ବ ଘୋଷଣା ଅନୁସାରେ ଆଜି ପ୍ରାର୍ଥିପତ୍ର ଦାଖଲ କରିବାକୁ ବାହାରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ବିରାଟ ପଟୁଆରରେ ସହର ପରିକ୍ରମା କରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଲେ। ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ଵେଶ୍ଵର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟର ମିଶ୍ର ଅନେକ ଦଳୀୟ ନେତା ଏବଂ କର୍ମୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପରିବର୍ତ୍ତେ ପ୍ରାର୍ଥିପତ୍ର ଦାଖଲ ନକରି ଫେରିଆସିଥିଲେ ପ୍ରଦୀପ ପୁରୋହିତ। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଭଲ ଲଗ୍ନରେ ପ୍ରାର୍ଥିପତ୍ର ଦାଖଲ କରିବି: ପ୍ରଦୀପ ପୁରୋହିତ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥିପତ୍ର ଦାଖଲ ନକରି ଫେରିଯିବାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ରଖି ପ୍ରଦୀପ ପୁରୋହିତ କହିଛନ୍ତି, “ବିଜୁ ବାବୁଙ୍କ ଅମଳରୁ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ଦାବି ହୋଇଆସୁଛି। ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ପଦ୍ମପୁର ସବଡିଭିଜନକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବେ ବୋଲି, କିନ୍ତୁ ୨୦୨୨ ମସିହା ସରିବାକୁ ବସିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ପ୍ରତିଶ୍ରୁତି ଭୁଲିଯାଇଛନ୍ତି। କେବଳ ଏତିକି ନୁହେଁ ପଦ୍ମୁପୁରର ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଛି ଏବଂ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରାଯାଉଛି। ଆଜି ପ୍ରାର୍ଥିପତ୍ର ଦାଖଲ ନକରିବାକୁ ପଦ୍ମପୁର ଚାଷୀମାନେ ଅନୁରୋଧ କରିଥିଲେ। ତେଣୁ ସେମାନଙ୍କ କଥାକୁ ସମ୍ମାନ ଦେଇ ମୁଁ ଆଜି ପ୍ରାର୍ଥିପତ୍ର ଦାଲଖ କଲିନାହିଁ। ଭଲ ଲଗ୍ନ ଦେଖି ୧୭ ତାରିଖ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବି।”

ପ୍ରଦୀପ ପୁରୋହିତ ପଦ୍ମପୁରରେ ବିଜେପିର ଜଣେ ଟାଣୁଆ ନେତା। ସେ ୨୦୧୪ ରୁ ୨୦୧୯ ଯାଏଁ ପଦ୍ମପୁର ବିଧାୟକ ଥିଲେ। ବିଜେଡି ନେତା ବିଜୟରଞ୍ଜନ ସିଂହ ବାରିହାଙ୍କୁ ହରାଇ ସେ ବିଧାୟକ ହୋଇଥିଲେ। ମାତ୍ର ସେ ୨୦୧୯ ମସିହା ନିର୍ବାଚନ ଅଳ୍ପ କିଛି ଭୋଟ ବ୍ୟବଧାନରେ ସେ ହାରି ଯାଇଥିଲେ। ପରେ ବିଜେପି ତାଙ୍କୁ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି କରିଥିଲା।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Nomination

Comment