ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ପାଲଟିବ ଶିଖରଚଣ୍ଡୀ। ଆଗକୁ ଝଲସିବ ଶିଖରଚଣ୍ଡୀ ପାହାଡ଼। ଏହି ପର୍ଯ୍ୟଟନସ୍ଥଳୀ ପାଇବ ନୂଆ ରୂପ। ପାହାଡ଼ ଉପରୁ ଛିଡ଼ା ହୋଇ ସହରର ମନୋରମ ସୌନ୍ଦର୍ଯ୍ୟକୁ ଦେଖିବା ସହ ଏହାକୁ କ୍ୟାମେରାରେ କଏଦ କରିହେବ। ପାର୍କିଂ, ଟ୍ରାକିଂ ଆଦି ସୁବିଧା ରହିବ। ମନ୍ଦିରକୁ ଆହୁରି ଆକର୍ଷଣୀୟ ରୂପ ଦିଆଯିବ। ଏମିତି ମେଗା ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ଶିଖରଚଣ୍ଡୀ ମନ୍ଦିରରେ ପହଞ୍ଚି ପୂରା ପାହାଡ଼ ଓ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଶିଖରଚଣ୍ଡୀକୁ ନେଇ ପ୍ରସ୍ତୁତ ହେଉଥିବା ଯୋଜନା ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଉତ୍ତର ଭୁବନେଶ୍ଵରରେ ରହିଛି ପ୍ରକୃତିର ଗନ୍ତାଘର ଐତିହ୍ୟ ସମ୍ପନ୍ନ ଶିଖରଚଣ୍ଡୀ ପାହାଡ଼ ଓ ମା’ଙ୍କ ମନ୍ଦିର। ପାହାଡ଼ ଉପରେ ହନୁମାନଙ୍କ ମନ୍ଦିର ମଧ୍ୟ ଅଛି। କାହିଁ କେଉଁ କାଳରୁ ମା’ଙ୍କ ପୂଜାର୍ଚ୍ଚନା ଏଠାରେ ହୋଇଆସୁଛି। ଏହାର ଉନ୍ନତିକରଣ ପାଇଁ ଦୀର୍ଘବର୍ଷରୁ ଦାବି ହେଉଥିବାବେଳେ ରାଜ୍ୟ ସରକାର ଏଦିଗରେ ଆଗେଇଛନ୍ତି।

 

୫-ଟି ସଚିବ ଭି.କେ ପାଣ୍ଡିଆନ ବିଡିଏ, ବିଏମ୍‌ସି, ଗ୍ରୀମ୍ୟ ଉନ୍ନୟନ. ଇଡ୍‌କୋ, କ୍ରୀଡ଼ା ବିଭାଗ ଅଧିକାରୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଶିଖରଚଣ୍ଡୀ ମନ୍ଦିର, ପଟିଆ ପାଖ ପଥରଗାଡ଼ିଆ ଅଞ୍ଚଳକୁ ବୁଲି ଦେଖିଥିଲେ। କିଭଳି ବିକାଶମୂଳକ କାର୍ଯ୍ୟ, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିହେବ, ସେ ନେଇ ମାନଚିତ୍ର ସହ ପୂରା ଅଞ୍ଚଳ ଓ ପ୍ରସ୍ତାବିତ ଯୋଜନା ବାବଦରେ ବିସ୍ତୁତ ଆଲୋଚନା କରିଥିଲେ।

Tags: #VKPandian #5TSecretary #ShikharchandiTemple #Renovation #Beautification #Bhubaneswar #Odisha

Comment