ଓଡ଼ିଶାଲାଇଭ୍ ବ୍ୟୁରୋ
- ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ
- ଶିକ୍ଷାରେ ଉତ୍କର୍ଷ ପାଇଁ ୫-ଟି ରୂପାନ୍ତରିତ ଓ ଅନ୍ୟ ସ୍କୁଲଗୁଡ଼ିକ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା
- ସରପଞ୍ଚ, ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ସ୍କୁଲ କମିଟି ବି ହେବେ ପୁରସ୍କୃତ
- ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ
- ସମୟର ଆହ୍ଵାନକୁ ସାମ୍ନା କରିବା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ହେଉଛି ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲଗୁଡ଼ିକ ନିମନ୍ତେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାରେ ଉତ୍କର୍ଷ ଲାଭ କରୁଥିବା ୫୦ ହଜାର ଛାତ୍ରଛାତ୍ରୀ, ୧,୫୦୦ ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ନିମନ୍ତେ ବର୍ଷକୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ।
ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଭର୍ଚ୍ୟୁଆଲ ଲକରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କସିଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିପାରିବା ସହିତ ସୁବିଧାରେ ଉପଲବ୍ଧ ହେବ।
ଉପସ୍ଥିତ ଛାତ୍ରଛ୍ରତ୍ରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ଵର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି ‘ସମୟର ଆହ୍ଵାନ’, ଦ୍ଵିତୀୟ ‘ପରିବର୍ତ୍ତନ ଅବଶ୍ୟମ୍ଭାବୀ’ ଏବଂ ତୃତୀୟ ହେଉଛି ‘ଦାୟିତ୍ଵବୋଧତା’।
ମୁଖ୍ୟମନ୍ତ୍ରୀ କହିଥିଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ହେଉଛି ବହୁତ ଗୁରୁତ୍ଵର୍ଣ୍ଣ। ଠିକ୍ ସମୟରେ ଠିକ୍ କାମ କଲେ ସଫଳତା ନିଶ୍ଚୟ ମିଳିପାରିବ। ପାଠପଢ଼ା ସହ ଖେଳକୁଦ, ନାଚଗୀତ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ କରି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
‘ପରିବର୍ତ୍ତନ ଅବଶ୍ୟମ୍ଭାବୀ’ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୟ ସହ ତାଳ ଦେଇ ଆଗକୁ ବଢ଼ିବାକୁ ହେବ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ସମୟର ଆହ୍ଵାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ୫-ଟି ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ ହେଉଛି ସମୟର ଆହ୍ଵାନକୁ ମୁକାବିଲା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା।
ଛାତ୍ରଛାତ୍ରୀଙ୍କୁ ଦାୟିତ୍ଵବୋଧତା ସମ୍ପର୍କରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କୁ ଗଢ଼ିବାରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କୁ ସର୍ବଦା ସମ୍ମାନ ଦେବା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଏକ କଫି ଟେବୁଲ ପୁସ୍ତକ, ମାଗାଜିନ ଓ ମୋ ସ୍କୁଲ ନ୍ୟୁଜ ଲେଟର ଉନ୍ମୋଚନ କରିଥିଲେ।
କାର୍ଯ୍ୟକ୍ରମରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ଅଭିଭାଷଣ ରଖି ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ସ୍କୁଲଗୁଡ଼ିକର ରୂପାନ୍ତର, ମୋ ସ୍କୁଲ କାର୍ଯ୍ୟକ୍ରମ ଆଦି ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସେମାନେ କହିଥିଲେ।
ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ଵଥି ଏସ୍ ସ୍ଵାଗତ ଭାଷଣ ଦେଇଥିବାବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #CMOdisha #Student #Teachers #Schools #NaveenPatnaik