ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ଇତିହାସ ପଢ଼ିବାକୁ ଭଲପାଏ। ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ବିଶ୍ୱ ଇତିହାସରେ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ବୋଧହୁଏ ଏଇଟି ସବୁଠାରୁ ସଂକ୍ଷିପ୍ତ ଭାଷଣ ଥିଲା। ଭାଷଣରେ ଲିଙ୍କନ କହିଥିଲେ, “Government of the people, by the people, for the people shall not perish from earth”.

“ଏ କଥାଟି ମତେ ଛୁଇଁଯାଇଥିଲା। “ଅଫ୍‌ ଦି ପିପଲ୍”। କି ସୁନ୍ଦର ଚିନ୍ତା! ସେଇଥିରୁ ମନକୁ ଆସିଲା, ନିଜ କମ୍ପାନିର ନାଁ ଦେବି, ‘ଅଫ୍‌ବିଜିନେସ୍’। ଅର୍ଥାତ୍ ଏପରି ଏକ ବ୍ୟବସାୟ ଯାହା ଅନ୍ୟମାନଙ୍କର ବ୍ୟବସାୟକୁ ସଫଳ କରି ତୋଳିବାର ଲକ୍ଷ୍ୟ ନେଇ ଚାଲିଥିବ। ‘ଅଫ୍‌ବିଜିନେସ୍’, କ୍ଷୁଦ୍ର ଓ ମଧ୍ୟମ ବର୍ଗର କମ୍ପାନିମାନଙ୍କୁ ତିନୋଟି ଜିନିଷ ଯୋଗାଇଥାଏ। ପ୍ରଥମଟି ହେଲା, ସୁଲଭ ଦରରେ ବିଭିନ୍ନ ରକମର କଞ୍ଚାମାଲ ବା ର’ ମ୍ୟାଟେରିଆଲ। ଦ୍ୱିତୀୟ ଜିନିଷ ହେଲା, ଏଇ କଞ୍ଚାମାଲ କିଣିବା ପାଇଁ ପୁଞ୍ଜି। ଆଉ ତୃତୀୟ ଜିନିଷଟି ହେଲା ବ୍ୟବସାୟଭିତ୍ତିକ ସୂଚନା”, କହିଛନ୍ତି ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।।

ଭାରତବର୍ଷରେ ହଜାର ହଜାର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଦ୍ରବ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରହିଛନ୍ତି। କିନ୍ତୁ ବଡ଼ ବଡ଼ ବ୍ୟାଙ୍କମାନେ ୠଣ ଦେବା ବେଳେ ଏମାନଙ୍କୁ ଅଣଦେଖା କରନ୍ତି ଅଥବା ଏମାନଙ୍କର ଅଭାବ, ଅସୁବିଧା, ଆବଶ୍ୟକତାକୁ ଠିକ ବୁଝିପାରନ୍ତି ନାହିଁ। ଏହି ସଂସ୍ଥାମାନଙ୍କୁ ଠିକ୍ ସମୟରେ, ଠିକ୍ ଦରରେ, ସଠିକ୍ ମାନର କଞ୍ଚାମାଲ ଖୋଜି ଆଣି ଆମେ ଯୋଗାଇଥାଉ। ବ୍ୟବସାୟର ଦୁନିଆରେ, କଞ୍ଚାମାଲକୁ କିଣି ଜିନିଷ ତିଆରି କରି ବଜାରକୁ ନେଇ ଗ୍ରାହକଙ୍କୁ ବିକ୍ରି କରିବା ପର୍ଯ୍ୟନ୍ତ ପୁଞ୍ଜି ବା ଋଣର ଆବଶ୍ୟକତା ରହିଛି। ସୁବିଧାରେ ଋଣ ବ୍ୟବସ୍ଥା ମିଳିଲେ ଉଦ୍ୟୋଗୀମାନେ ଅଧିକ ସୁଧ ଦେବା ପାଇଁ ମଧ୍ୟ ରାଜି।

ଆଉ ରହିଲା ବ୍ୟବସାୟରେ କେଉଁଠି ନୂଆ ନୂଆ ଖରିଦ୍‌ଦାର ମିଳିପାରିବେ। କେଉଁଠି ଟେଣ୍ଡର୍‌ ଜାରି ହୋଇଛି, ସେସବୁ ବିଷୟରେ ସୂଚନା। ଏହିସବୁକୁ ନେଇ ‘ଅଫ୍‌ ବିଜନେସ୍‌’ର ବ୍ୟବସାୟ। ଆମ ସଂସ୍ଥାରେ ବର୍ତ୍ତମାନ ୮୨୩ ଜଣ କାମ କରୁଛନ୍ତି। ୯,୬୦୦ କୋଟି ଟଙ୍କାର ବ୍ୟବସାୟ ଏବଂ ଆଜିର ଦିନରେ ଆମର ମାର୍କେଟ ଭାଲ୍ୟୁ ୨୪ ହଜାର କୋଟିର ଊର୍ଦ୍ଧ୍ୱକୁ ଉଠିସାରିଲାଣି ।

Tags: #AshisMohapatra #OfBusiness #Unicorn #SuccessStory #LifeStory #StoryBehindtheName

Comment