ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଛକାପଞ୍ଝା, ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ। ଏବେ ପ୍ରଚାର ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି। ଚାଷୀଙ୍କ ଅନୁରୋଧ ଭାଙ୍ଗି କିଏ ଆଗ ପ୍ରାର୍ଥିପତ୍ର ଦାଖଲ କରିବ ତା’କୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଥିଲେ ପ୍ରାର୍ଥୀ। କିନ୍ତୁ ପ୍ରାର୍ଥିପତ୍ର ଦାଖଲ ପାଇଁ ବାଟ ଫିଟାଇଦେଇଥିଲେ ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥପ୍ପା।

ପଦ୍ମପୁରରେ ଜୋରଦାର ହେବ ରାଜନୈତିକ ଲଢ଼େଇ

ପଦ୍ମପୁର ଉପନିର୍ବାଚନରେ ବିଜେଡ, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ କଡ଼ା ଟକ୍କର। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରି ଅନୁକମ୍ପା ଭୋଟ ପାଇଁ ଆଶା ବାନ୍ଧିଛି। କେବଳ ସେତିକି ନୁହେଁ ଏହି ନିର୍ବାଚନରେ ମହିଳା କାର୍ଡ ଖେଳି ଭୋଟ ହାତେଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ଆଲୋଚନା ହେଉଛି।

ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ପୁଣି ପଦ୍ମପୁର ଦଲଖ ପାଇଁ ପାଗ ଭିଡ଼ୁଛି ଦଳ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁରର ଜଣେ ଟାଣୁଆ ନେତା। ପଦ୍ମପୁରରେ ବିଜେପିର ଭଲ ସଙ୍ଗଠନ ମଧ୍ୟ ରହିଛି। ୨୦୧୪ ମସିହା ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ହାରି ଯାଇଥିଲେ ପ୍ରଦୀପ ପୁରୋହିତ। ଧାମନଗର ଉପନିର୍ବାଚନରେ ବିଜେପି ଯେମିତି ବାଜି ମାରିଥିଲା ଏଥର ବି ପଦ୍ମପୁରରେ ତା’ର ପୁନରାବୃତ୍ତି କରିବାକୁ ଦଳ ଆଶା କରିଛି।

ବିରାଟ ପଟୁଆରରେ ଆସି ପ୍ରାର୍ଥିପତ୍ର ଦାଖଲ ନକରି ଫେରିଯାଇଥିଲେ ବିଜେପି ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ହାଇଡ୍ରାମା। ଗତ ୧୪ ତାରିଖରେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାଙ୍ଗରେ ଧରି ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ, କିନ୍ତୁ ପ୍ରାର୍ଥିପତ୍ର ଦାଖଲ ନକରି ଫେରି ଆସିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲା।

ପ୍ରାର୍ଥିପତ୍ର ଦାଖଲ କରିବାକୁ ଚାଷୀମାନେ ଅନୁରୋଧ କରିଥିଲେ, ତେଣୁ ଚାଷୀଙ୍କ କଥାକୁ ସମ୍ମାନ ଦେଇ ପ୍ରାର୍ଥିପତ୍ର ଦାଖଲ ନକରି ଫେରିଆସିଥିବା କହିଥିଲେ ପ୍ରଦୀପ ପୁରୋହିତ।

ପଦ୍ମପୁର ଉପରେ ସବୁ ଦଳଙ୍କ ନଜର

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ଆଜି ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। କିନ୍ତୁ ଶେଷ ଦିନରେ କିଏ ଆଗ ପ୍ରାର୍ଥିପତ୍ର ଦାଖଲ କରିବ ତାକୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଯାଇଥିଲେ ପ୍ରାର୍ଥୀ। କାରଣ ଏହି ପ୍ରତିଯୋଗିତା ଥିଲା ଟିଏକ ଭିନ୍ନ। କାରଣ ପଦ୍ମପୁର ଚାଷୀ ଅନୁରୋଧ କରିଥିଲେ କୌଣସି ଦଳ ପ୍ରାର୍ଥିପତ୍ର ଦାଖଲ ନକରିବାକୁ।

ଚାଷୀଙ୍କ ଅନୁରୋଧ ଭାଙ୍ଗି କିଏ ପ୍ରାର୍ଥିପତ୍ର ଦାଖଲ କରିବ ତାକୁ ନେଇ ଚାଲିଥିଲା ଛକାପଞ୍ଝା। ଜୟନ୍ତ ଥପ୍ପା ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବିଜେଡି ପ୍ରାର୍ଥୀ ବିର୍ଷା ସିଂ ବରିହା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଚାଷୀଙ୍କ କଥାକୁ ସମ୍ମାନ ଦେଇ ନିରାଡମ୍ବର ଭାବେ ଯାଇ ବର୍ଷା ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଧାମନଗର ପରି ପଦ୍ମପୁର ମାଟିରେ ନିଶ୍ଚୟ ବିଜେପି ଜିତିବ। ବିଜେପି ସର୍ବଦା ଚାଷୀଙ୍କ ସହିତ ରହିଆସିଛି। ଏଥର ନିର୍ବାଚନ ପ୍ରସଂଗ ଭିତ୍ତିକ ହେବ। ପଦ୍ମପୁରବାସୀଙ୍କର ସମର୍ଥନ ପ୍ରଦୀପ ପୁରୋହିତଙ୍କ ସହିତ ରହିଛି, ତେଣୁ ଏହି ଉପନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ।

ଏ କ୍ଷେତ୍ରରେ ପଛରେ ନାହିଁ କଂଗ୍ରେସ। ପ୍ରାୟ ସବୁ ନିର୍ବାଚନରେ ପରାଜୟର ମୁଁ ଦେଖୁଥିବା କଂଗ୍ରେସ ପଦ୍ମପୁର ଉପନିର୍ବାଚନରେ ବାଜି ମାରିବାକୁ ଆଶା ବାନ୍ଧିଛି। ବିଜେଡି ଏବଂ ବିଜେପିକୁ ଟାର୍ଗଟେ କରିବା ସହ ପଦ୍ମପୁର ମାଟିରେ ଏଥର କଂଗ୍ରେସ ଜିତିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଏବେ ପ୍ରଚାର ହେବ ଜୋରଦାର

ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି, ବିଜେପି, କଂଗ୍ରେସ ଏବଂ ଜଣେ ସ୍ଵାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସରିଲା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଏବେ ପ୍ରଚାର ପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବଚାନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ସ୍ଵୀକୃତିପ୍ରପ୍ତ ଦଳଗୁଡ଼ିକ ୪୦ ଜଣ ତାରାକା ପ୍ରଚାରଙ୍କୁ ନେଇ ପ୍ରଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିପାରିବେ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଥିଲା। ନଭେମ୍ବର ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସିଂ ବରିହା ବିଜୁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Tags: #Politics #OdishaPolitics #PadampurPolitics #ByElection #PadampurByElection #BJD #BJP #Congress

Comment