ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅଫ୍‌ବିଜିନେସ୍’ ଆରମ୍ଭ କଲାବେଳେ ଆଶିଷ ମହାପାତ୍ରଙ୍କ ବୟସ ଥିଲା ମାତ୍ର ୩୩। ଯେତେବେଳେ ସେ ଭେଞ୍ଚର କ୍ୟାପିଟାଲ ଉଠାଇବା ପାଇଁ ବଡ଼ ବଡ଼ ପୁଞ୍ଜି ଲଗାଣ ସଂସ୍ଥାଙ୍କର ଦ୍ୱାରସ୍ଥ ହେଉଥିଲେ, ସେତେବେଳେ ଥରେ ଦୁଇଥର ନୁହଁ, ୭୩ଥର ତାଙ୍କୁ ‘ନା’ ଶୁଣିବାକୁ ପଡ଼ିଥିଲା। ଏତେ କମ୍ ବୟସରେ ଏଭଳି ପ୍ରତ୍ୟାଖ୍ୟାନକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ। ପ୍ରତ୍ୟାଖ୍ୟାନକୁ ପରାହତ କରିବା ଲାଗି ସାହସ ଦରକାର। ବ୍ୟବସାୟର ଦୁନିଆରେ ପ୍ରତ୍ୟାଖ୍ୟାନକୁ କିପରି ଭାବରେ ସେ ଗ୍ରହଣ କରିଥିଲେ ତାହା କହିଛନ୍ତି…

“ମୁଁ କହିବି, ଏଥିରେ ମୋ’ର ସାଧାରଣ ଓଡ଼ିଆ ଘରର ଲାଳନପାଳନ ମୋତେ ବିଶେଷ ଭାବରେ ସାହାଯ୍ୟ କରିଥିଲା। ପ୍ରତ୍ୟାଖ୍ୟାନର ପ୍ରଥମ ସ୍ୱାଦ ପାଇଥିଲି ଷଷ୍ଠ ଶ୍ରେଣୀରେ। ସେତେବେଳେ ଜିଲ୍ଲାସ୍ତରରେ ଗଣିତ ପ୍ରତିଯୋଗିତାରେ ସଫଳ ହୋଇ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ଦିଲ୍ଲୀ ଯାଇଥିଲି। ସେତେବେଳେ ମତେ ହିନ୍ଦୀ ଜଣା ନଥିଲା। ସେଥିପାଇଁ ମୋ’ ସାଙ୍ଗରେ କେହି କଥା ହେଉ ନଥିଲେ। ମତେ ଅଲଗା କରିଦେଉଥିଲେ” କହିଛନ୍ତି ଅଫ୍‌ବିଜିନେସ୍’ର ପ୍ରତିଷ୍ଠାତା ଆଶିଷ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପରବର୍ତ୍ତୀ କାଳରେ ଯେବେ ବି ପୁରୁଣା ସ୍କୁଲରୁ ନୂଆ ସ୍କୁଲ, କଲେଜ ଏବଂ କଲେଜ ପରେ ଆଇଆଇଟି ଗଲି, ପ୍ରତି ପଦକ୍ଷେପରେ ଲାଗିଲା, ସବୁ ଜାଗାରେ, କିଏ ବାହାରର ମଣିଷ ଆଉ କିଏ ଭିତରର ମଣିଷ, ତାହା ନେଇ ମାନସିକତା ରହୁଛି। ଲୋକମାନେ ନିଜର, ପର ବିବେଚନା କରୁଛନ୍ତି। କିନ୍ତୁ ଏସବୁ ଭିତରୁ ହିଁ ମୋ’ର ଆତ୍ମପ୍ରତ୍ୟୟ ଆସିଥିଲା। ମୁଁ ନିଜକୁ କହିଲି, ଯେ ପର୍ଯ୍ୟନ୍ତ ମୋ’ ଭିତରେ କ୍ଷୁଧା, ପରିଶ୍ରମ ଏବଂ ଧୈର୍ଯ୍ୟ ରହିଥିବ, ମୁଁ ଯେ କୌଣସି ନୂଆ ପରିବେଶରେ ନିଜର ‌ଅସ୍ତିତ୍ଵ, ନିଜ ପାରଙ୍ଗମତା ପ୍ରମାଣିତ କରିପାରିବି।”

Tags: #AshisMohapatra #OfBusiness #Unicorn #LifeStory #SuccessStory

Comment