ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ ଅଧିକ।) ଏଥିମଧ୍ୟରୁ ଭାରତରେ ୬୩ଟି ଷ୍ଟାର୍ଟଅପ୍ ସଂସ୍ଥା ‘ୟୁନିକର୍ନ’ ପର୍ଯ୍ୟାୟକୁ ଆସିଛନ୍ତି। ତାହାରି ଭିତରେ ଅନ୍ୟତମ ସଂସ୍ଥା ‘ଅଫ୍‌ବିଜିନେସ୍’। ଆଶିଷ ମହାପାତ୍ର, ‘ଅଫ୍‌ବିଜିନେସ୍’ର ପ୍ରତିଷ୍ଠାତା ଭାବରେ ସାରା ଭାରତରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ଵ। କିନ୍ତୁ ସେ ନିଜକୁ କଟକରୁ ଆସିଥିବା ଜଣେ ‘ସାଧାରଣ ମଣିଷ’ ବୋଲି କୁହନ୍ତି।

“ସାଧାରଣ ବା ଅସାଧାରଣ, ଏଇଟା ଗୋଟିଏ ମାନସିକତାର ବିଷୟ କେବଳ। ମୋ’ର ଧାରଣା, ଯିଏ ନିଜକୁ ଅସାଧାରଣ ବୋଲି ମନେକରେ, ସେଇ ମଣିଷର ଯାତ୍ରା ସେଇଠି ଶେଷ ହୋଇଯାଏ। ମୁଁ ସବୁବେଳେ ଭାବେ, ମୁଁ ସାଧାରଣ ନୁହେଁ, ତା’ଠାରୁ ଯଦି ତଳେ କିଛି ଥାଏ, ସେଇଠି ମୋ’ର ସ୍ଥାନ। ଯଦିଓ ପିଲାବେଳେ ଆମର ପାରିବାରିକ ପରିସ୍ଥିତି ଭଲ ଥିଲା, ତେବେ ମୁଁ ସବୁବେଳେ ନିଜକୁ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା ହିସାବରେ ଦେଖେ”, କହିଛନ୍ତି ଅଫ୍‌ବିଜିନେସ୍’ର ପ୍ରତିଷ୍ଠାତା ଆଶିଷ ମହାପାତ୍ର।

“ମୋ’ର ପିଲାଦିନ, ଅର୍ଥାତ ପ୍ରଥମ ଏଗାର ବର୍ଷ, ଆଇଆଇଟି ଖଡ଼ଗପୁରର ପରିସରରେ କଟିଛି। ବାପା ସେଇଠି କୃଷି ବିଜ୍ଞାନରେ ପିଏଚଡି କରୁଥିଲେ। ତା’ପରେ ମା’ ପଦାର୍ଥ ବିଜ୍ଞାନରେ ପିଏଚଡି କଲେ। ତେଣୁ ବାଲ୍ୟ ଜୀବନରେ, ଆଇଆଇଟିର ପରିବେଶ ମତେ ବିଶେଷ ଭାବରେ ପ୍ରଭାବିତ କରିଥିଲା।“

“ପରବର୍ତ୍ତୀ ସମୟରେ, ଆମେ ସମସ୍ତେ କଟକ ଆସିଗଲୁ। କଟକ ମତେ ଗୋଟିଏ ସଂପୂର୍ଣ୍ଣ ଅଲଗା ସହର ପରି ଲାଗିଥିଲା। କଟକରେ ସମସ୍ତେ ଏକା ପ୍ରକାରର ମଣିଷ। ସମସ୍ତଙ୍କ ସ୍ୱପ୍ନ ଏକା ରକମର। ରାଉରକେଲାରେ ପାଠ ପଢିବେ, ସଫ୍ଟୱେୟାର ଇଂଜିନିୟର ହେବେ, ଆଇଟି ସଂସ୍ଥାରେ ଚାକିରି କରିବେ। ଖଡ଼ଗପୁରରେ ବଢୁଥିବା ପିଲାମାନେ ଜୀବନକୁ ଆହୁରି ବିସ୍ତୃତ ଭାବରେ ଦେଖୁଥିଲେ। କିଏ ଭାବୁଥିଲା ବ୍ୟବସାୟୀ ହେବ, କିଏ ସ୍ୱପ୍ନ ଦେଖୁଥିଲା ଡାକ୍ତର ହେବ, ଆଉ କିଏ ଚିନ୍ତା କରୁଥିଲା ବୈଜ୍ଞାନିକ ହୋଇ ଗବେଷଣା କରିବ। ସମସ୍ତଙ୍କର ସୀମା, ସରହଦ ଏକ ପ୍ରକାର ନଥିଲା”, କହିଛନ୍ତି ଆଶିଷ ମହାପାତ୍ର।

ପିଲାବେଳର ଗୋଟିଏ ବ୍ୟକ୍ତିଗତ ଅନୁଭୁତିକୁ ମନେ ପକାଇ ସେ କହିଛନ୍ତି ଯେ, “ମୁଁ ଯେତେବେଳେ ତୃତୀୟ ଶ୍ରେଣୀର ଛାତ୍ର, ସେତେବେଳେ ଗୋଟିଏ ସ୍କୁଲ ପ୍ରୋଜେକ୍ଟ ଦିଆଗଲା, ୱାର୍ଲ୍ଟ ଡିସ୍‌ନି ବିଷୟରେ ଲେଖିବାକୁ। ୱାର୍ଲ୍ଟ ଡିସ୍‌ନି ମାନେ ସମସ୍ତେ ଭାବନ୍ତି କାର୍ଟୁନ୍ ଚରିତ୍ର। କିଏ ଲେଖିଲା ମିକି ମାଉସ୍ ଉପରେ, କିଏ ଲେଖିଲା ଡୋନାଲ୍ଡ ଡକ୍ ଉପରେ। ମୋ’ ମନକୁ ଆସିଲା, ଇଏ ୱାର୍ଲ୍ଟ ଡିସ୍‌ନି କିଏ? ମୁଁ ସ୍କୁଲ ବାଟରେ ପଡୁଥିବା ଲାଇବ୍ରେରିକୁ ଗଲି। ୱାର୍ଲ୍ଟ ଡିସ୍‌ନିଙ୍କ ଉପରେ ଯାହା ପାଇଲି, ସବୁ ପଢ଼ିଦେଲି। ମୋ’ର ପ୍ରୋଜେକ୍ଟର ବିଷୟ ରହିଲା ଏହି ବିଖ୍ୟାତ ବ୍ୟକ୍ତିଙ୍କ ନିଜସ୍ୱ ଜୀବନ କାହାଣୀ।“

“କିନ୍ତୁ ଯେତେବେଳେ ପ୍ରୋଜେକ୍ଟର ଚର୍ଚ୍ଚା ହେଲା, ସମସ୍ତେ କହିଲେ, ଏଇଟା ପୁଣି କ’ଣ? କାର୍ଟୁନ ଚରିତ୍ର ଉପରେ ନ ଲେଖି ସଂସ୍ଥାର ପ୍ରତିଷ୍ଠାତାଙ୍କ ଉପରେ ଚର୍ଚ୍ଚା କାହିଁକି? ମତେ ସେଇଦିନ ଲାଗିଥିଲା, ଆମେ ସୀମିତ ପରିଧି ଭିତରେ ରହିଯାଉଛୁ। ଦୁନିଆଟା ପ୍ରକୃତରେ ବହୁତ ବଡ଼। ସେଇ ଦୁନିଆରେ ପାଦ ରଖିବାକୁ ହେଲେ ତିନୋଟି ଜିନିଷ ଦରକାର। ସ୍ୱପ୍ନ, କଠିନ ପରିଶ୍ରମ ଓ ଧୈର୍ଯ୍ୟ। ଖଡ଼ଗପୁରର ବାତାବରଣରେ ଏଇ ତିନୋଟି ଜିନିଷ ଭରି ରହିଥିଲା”, କହିଛନ୍ତି ଆଶିଷ ମହାପାତ୍ର।

Tags: #AshisMohapatra #OfBusiness #Unicorn #Business #LifeStory #SuccessStory #Odisha #Cuttack

Comment