ଓଡ଼ିଶା ଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର, ବ୍ୟାଙ୍କକ୍‌, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡରରେ ସପ୍ତାହକୁ ୩ ଦିନ ଅଥବା ଦିନେ ଛାଡ଼ି ଦିନେ ବିମାନ ଚଳାଚଳ ପାଇଁ ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର।  ଆଗ୍ରହୀ ବିମାନସେବା କମ୍ପାନୀ ଏଥିପାଇଁ ଆବେଦନ କରିପାରିବେ। ଟେଣ୍ଡର ଦାଖଲ ପାଇଁ ଆସନ୍ତା ୨୮ ତାରିଖର ସମୟ ଧାର୍ଯ୍ୟ କରାଯାଇଛି।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି। ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ବିମାନ ଇନ୍ଧନ ଉପରୁ ଟିକସ ଛାଡ଼ ସହିତ ରାଉଣ୍ଡ ଟ୍ରିପ(ଯିବା ଆସିବା) ପାଇଁ ଏଆରଲାଇନ୍ସକୁ ସବସିଡି ଦେବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର।

ଟେଣ୍ଡରରେ କମ ସବସିଡି ନେବା ପାଇଁ ପ୍ରସ୍ତାବ ଦେଇଥିବା ଏଆରଲାଇନ୍ସକୁ ବିମାନସେବା ପାଇଁ ଲାଇସେନ୍ସ ଦିଆଯିବ। ବିମାନସେବା ଆରମ୍ଭ କରିବା ଆଗରୁ ସମ୍ପୃକ୍ତ ଏଆରଲାଇନ୍ସକୁ ୫ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କୁ ସିକ୍ୟୁରିଟି ଆକାରରେ ଦେବାକୁ ହେବ। ଇଚ୍ଛୁକ ଏଆରଲାଇନ୍ସ ଏଥିପାଇଁ ୭୦ କିମ୍ବା ତା’ଠାରୁ ଅଧିକ ସିଟ୍ ବିଶିଷ୍ଟ ବିମାନ ବ୍ୟବହାର କରିବାକୁ ଟେଣ୍ଡରେ କୁହାଯାଇଛି।

ସେହିପରି ଏଆରଲାଇନ୍ସକୁ ବିମାନସେବା ପାଇଁ ଲେଟେର ଅଫ ଆୱାର୍ଡ ଦିଆଯିବାର ୬୦ ଦିନ ମଧ୍ୟରେ ବିମାନ ଉଡାଣ ଆରମ୍ଭ କରିବାକୁ ପଡିବ।  ରାଜ୍ୟ ସରକାର ରଖିଥିବା ସର୍ତ୍ତ ଖିଲାପ କଲେ ଏଆରଲାଇନ୍ସର  ସବସିଡି ବନ୍ଦ କରିଦିଆଯିବ।

Tags: #Directflight #foreigndestination #Bhubaneswar #GovtofOdisha #Odisha

Comment