ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ):  ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ। ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରୁ ମା’ଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆରରେ ଢୋଲ ମହୁରୀ, ଦଣ୍ଡ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟଗୀତରେ ହଜାର ହଜାର ଭକ୍ତ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ।

ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ମଙ୍ଗଳବାର ଦିନ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଏସପି ପ୍ରହଲ୍ଲାଦ ସାହାଇ ମୀନା, ଏମଜିଏମ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ତନୁଜ ମହାନ୍ତି, ଭୁବନେଶ୍ୱର ସାଇକୃପା ଚାରି ଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସଦାଶିବ ଦାସ, ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲା, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ ଓ ମହୋତ୍ସବ କମିଟିର ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଉଦଘାଟନୀ ସନ୍ଧ୍ୟାରେ ଫୁଲବାଣୀ ନଟରାଜ କଳା ପରିଷଦ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସୁନ୍ଦରଗଡ଼ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ସୋସିଆଲ ମିଡିଆର ଭାଇରାଲ କଳାକାର ‘ଝୁଲ ରେ ନିତାଇ ଝୁଲ’, ଭୈରବୀ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ନାଚ ଗୀତରେ ଝଲସିଥିଲା ପରିବେଶ।

ମହୋତ୍ସବର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ଵାରା ମହୋତ୍ସବର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆ ମଞ୍ଚ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ବାଳକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Boudh #PalishreeMela #MaaBhairaviMahotsav #Festival

LEAVE A REPLY

Please enter your comment!
Please enter your name here