ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପୁଞ୍ଜ ଉପରେ ଆନ୍ଧ୍ର ସରକାର କ୍ରମାଗତ ଭାବେ ଆଧିପତ୍ୟ ଜାହିର କରିଆସୁଛନ୍ତି। କେତେ ବର୍ଷ ହେଲା କୋଟିଆ ବିବାଦ ଆରମ୍ଭ ହୋଇଛି ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ଗୁରୁବାର ଦିନ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗି ତହସିଲର ୨୧ଟି ଗ୍ରାମପୁଞ୍ଜକୁ ନେଇ ଗତ ୧୯୬୮ ମସିହାର ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ୧୦/୧୯୬୮ରେ ମାମଲା ଦାଏର କରିଥିଲେ। ଗତ ୨୦୦୬ ମାର୍ଚ୍ଚ ୩ ତାରିଖରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ଆଦେଶ ଦେଇଥିଲେ ଅଦାଲତ। ନିକଟରେ ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜ ଅଧୀନ କିଛି ଗ୍ରାମରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହାକୁ ଭଣ୍ଡୁର କରିବା ପାଇଁ ଓଡ଼ିଶା ସରକାର ଉଚ୍ଚତମ ନ୍ୟାୟାଳୟଙ୍କ ଇଜଲାସରେ ଏକ ଅବମାନନା ପିଟିସନ ଦାଏର କରିଥିଲେ, ଯାହା ବିଚାରାଧୀନ ରହିଛି। ଏହା ସହିତ ଗତ ଜାନୁଆରି ୪ ତାରିଖରେ ଆଉ ଏକ ପିଟିସନ ଦାଏର କରିଥିଲେ ରାଜ୍ୟ ସରକାର। ଏହା  ମଧ୍ୟ ବିଚାରାଧୀନ ରହିଛି।

ଉଭୟ ରାଜ୍ୟ ନିଜ ନିଜର ମାଲିକାନା ସାବ୍ୟସ୍ତ କରୁଥିବାରୁ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହାର ଫଇସଲା ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜୟାଜ ରଖିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କୋଟିଆ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮,୫୩,୧୨,୩୩୯ ଟଙ୍କା ଖର୍ଚ୍ଚ କରାଯାଇ ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀଗୃହ, ଅଙ୍ଗନବାଡ଼ି ଗୃହ, ମିଶନଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ଥାନା ନିର୍ମାଣ କରିବା ସହ ବିଦ୍ୟୁତ ସଂଯୋଗ ଏବଂ ମୋବାଇଲ ଟାଓ୍ଵାର ସ୍ଥାପନ ଏବଂ ଲୋକଙ୍କ ଜୀବିକା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଓଡ଼ିଆରେ କଥାବାର୍ତ୍ତା ଓ ପ୍ରତିବର୍ଷ କୋଟିଆରେ ରଥଯାତ୍ରା ଉତ୍ସବ ପାଳନ କରାଯାଉଛି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

କୋଟିଆର ପ୍ରତ୍ୟେକ ଗାଁ ଏବଂ ପଟାଙ୍ଗି ବ୍ଲକର ଅନ୍ୟ ଅଂଶକୁ ସଂଯୋଗ କରୁଥିବା ରାସ୍ତା ଆଦି ଓଡ଼ିଶା ସରକାରଙ୍କ ଅଧୀନରେ ରହିଛି। ରାଜ୍ୟ ସରକାର ମଧ୍ୟ ଏହି ଅଞ୍ଚଳରେ ଅନେକ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ସୀମା ସୁରକ୍ଷା ପାଇଁ ଅନେକ ସମୟରେ ଅନ୍ୟ ରାଜ୍ୟ ଦ୍ଵିପାକ୍ଷିକ ଆଲୋଚନା ସହ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

Tags: #OdishaAssembly #Kotia #PramilaMallick #TaraprasadBahinipati

Comment