ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି। ବିଭିନ୍ନ ପ୍ରସଂଗ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି ପ୍ରଚାର କାର୍ଯ୍ୟ।

ଶନିବାର ଦିନ ଝାରବନ୍ଧ ବ୍ଲକର କୁମିର ଗାଁ ଏବଂ ବିଲାଶପୁରରେ ଚାଲିଛି ବିଜେପିର ପ୍ରଚାର। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ହୀରାଶିଷ ଆଚାର୍ଯ୍ୟ ଏବଂ ଯଶିପୁର ବିଧାୟକ ପ୍ରଚାର ମଇଦାନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ଚାଷୀଙ୍କ ସମସ୍ୟା, କେନ୍ଦୁପତ୍ର ତୋଳାଳିଙ୍କୁ ଅବହେଳା, ଜଳ ସେଚନ ସମସ୍ୟା ଏବଂ ବିଜେଡି ସରକାରର ୨୨ ବର୍ଷ ଶାସନ କାଳରେ ପଦ୍ମପୁର ପ୍ରତି ହୋଇଥିବା ଅବହେଳା ଆଦିକୁ ପ୍ରସଂଗ କରି ପ୍ରଚାର ମଇଦାନକୁ ଓହ୍ଲାଇଛି ବିଜେପି। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ କୌଣସି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଓଡ଼ିଶାର ବିକାଶ ଲାଗି ଏଠାରେ ମଧ୍ୟ ଡବଲ ଇଂଜିନ ସରକାର ଆସିବା ଦରକାର ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତାମାନେ।

ଗତ ବିଧାନସଭା ଉପନିର୍ବାଚନରେ ଧାମନଗରରେ ଯେପରି ପରିବର୍ତ୍ତନ ଆସିଛି, ସେହିଭଳି ପରିବର୍ତ୍ତନ ପଦ୍ମପୁରରେ ହେବା ଆବଶ୍ୟକ ବୋଲି ପ୍ରଚାରବେଳେ କହିଛନ୍ତି ବିଜେପି ନେତା।

ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ହେବ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ।

ଡିସେମ୍ବର ୫ ତାରିଖ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ ହେବ। ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨,୫୭,୪୭୪ ଜଣ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀମାନଙ୍କ ଭାଗ୍ୟ।

Tags: #Politics #OdishaPolitics #PadampurPolitics #BJPCampaign

Comment