ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବାବେଳେ ଏହାରି ମଧ୍ୟରେ ଶନିବାର ଦିନ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାଇକମାଳ ବ୍ଲକ ଟେମରି ଗ୍ରାମର ଲୋକେ।

ପାଇକମାଳ ଥାନାରେ ଆଜି ଟେମରି ଗ୍ରାମର ପ୍ରାୟ ୨୦ରୁ ଅଧିକ ମହିଳା ଓ ପୁରୁଷ ପହଞ୍ଚି ଥାନା ଅଧିକାରୀଙ୍କୁ ଏକ ଅଭିଯୋଗପତ୍ର ଦେଇଥିଲେ। ଏଥିରେ ଗ୍ରାମବାସୀ ଲେଖିଥିଲେ ଯେ, ଦୁଇଜଣ କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀ ଟେମରି ଗ୍ରାମର ଚୁଡ଼ାମଣି ପାଣିଗ୍ରାହୀ ଓ ନିକଟବର୍ତ୍ତୀ ଗ୍ରାମର ମହେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଟେମରି ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି (ବିଜେପି) ର ବୈଠକରେ ଯୋଗ ଦେବା ପାଇଁ କେନ୍ଦୁପତ୍ର ତୋଳାଳିମାନଙ୍କୁ ପ୍ରଲୋଭନ ଦେଖାଇବା ସହ ଧମକ ମଧ୍ୟ ଦେଇଥିଲେ।

ବିଜେପି ସମାବେଶକୁ ଗଲେ ବୋନସ ମିଳିବ। ଯଦି କେହି ନଯିବେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଛି।

ପାଇକମାଳ ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ତଳେ ମଧ୍ୟ ଝାରବନ୍ଧ ବ୍ଲକ କୁର୍ଲୁପାଲି ଗ୍ରାମପଞ୍ଚାୟତର ଦାବପାଲିରୁ ସମାନ ଅଭିଯୋଗ ଆସିଥିଲା।

Tags: #PaikmalPoliceStation #PadampurByelection #Politics #KenduLeafWorker

Comment