ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ବଦଳୁଥିବା ଦେଖିବାକୁ ମିଳୁଛି। ସୋମବାର ସକାଳେ ୩ଟି ସ୍ଥାନରେ ଆଇଟି ଚଢ଼ଉ କରାଯାଇଥିବାବେଳେ ସନ୍ଧ୍ୟାରେ ଜିଏସଟି ଚଢ଼ଉ ହୋଇଥିଲା। ଜିଏସଟି ଚଢ଼ଉ ସମୟରେ ବିଜେପି ନେତାମାନେ ଏଥିରେ ହସ୍ତକ୍ଷେପ କରିବା ସହ ଜଣେ ମହିଳା ଜିଏସଟି ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେଡି ପକ୍ଷରୁ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।

ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀର ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି। ଏହା ସହିତ ପଦ୍ମପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟରୁ ବିଜେପି ନେତ୍ରୀ ପିଙ୍କି ପ୍ରଧାନ, କାଳିନ୍ଦୀ ସାମଲ, ଠାକୁର ରଞ୍ଜିତ ଦାସ ଏବଂ କୁସୁମ ଟେଟେଙ୍କୁ ଦୂରେଇ ରଖିବାକୁ ଦାବି କରିଛନ୍ତି ବିଜେଡି ସାଂସଦ।

ସାଂସଦ ସସ୍ମିତ ପାତ୍ରଙ୍କ କହିଛନ୍ତି, “ସବୁ ନିର୍ବାଚନ ସମୟରେ ଗୁଣ୍ଡାଗର୍ଦ୍ଦି କରୁଛି ବିଜେପି। ବିଜେପି ଶାନ୍ତିରେ ନୁହେଁ ବରଂ ହିଂସା ରାଜନୀତି ଉପରେ ବିଶ୍ଵାସ କରେ। ଉତ୍ତରପ୍ରଦେଶ ଏବଂ ବିହାର ପରି ଓଡ଼ିଶାରେ ମଧ୍ୟ ହିଂସା ଆପଣେଇବାକୁ ଚେଷ୍ଟା କରୁଛି ବିଜେପି। ବିଜେପିର ଏଭଳି କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସେ ଆହୁରି ମଧ୍ୟ କହିଛନ୍ତି,  ସୋମବାର ସକାଳେ ଆଇଟି ବିଭାଗର ଚଢ଼ଉ ସମୟରେ କେହି ଜଣେ ବି ବିଜେଡି କର୍ମୀ ଉପସ୍ଥିତ ରହିନଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ଏକ ଲୁଗା ଦୋକାନରେ ହୋଇଥିବା ଜିଏସଟସ ଚଢ଼ଉ ସମୟରେ ମାଳ ମାଳ ବିଜେପି ନେତା ପହଞ୍ଚି ଜିଏସଟି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜଣେ ମହିଳା ଜିଏସଟି ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ବିଜେପି କର୍ମୀ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ସେ କହିଛନ୍ତି।

ଝାରବନ୍ଧ ବ୍ଲକ ସାଲିଡିହି ଗାଁରେ ଦିଲ୍ଲୀପ ସେନାପତି ଟଙ୍କା ବାଣ୍ଟୁଥିଲେ। ଗ୍ରାମବାସୀ ତାଙ୍କ ଧରିବାକୁ ଚେଷ୍ଟ କରିବା ପରେ ସେ ଫେରାର ହୋଇଥିଲେ। କିନ୍ତୁ ଏହି ଘଟଣା ଉପରେ ପରଦା ପକାଇବାକୁ ଦିଲ୍ଲୀପ ସେନାପତିଙ୍କର ଅପହରଣ କରାଯାଇଥିବା ବିଜେପି ମିଛରେ ଅଭିଯୋଗ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସସ୍ମିତ ପାତ୍ର।

Tags: #Politics #OdishaPolitics #BJP #BJD #PressMeet #GSTRaid #ITRaid #SasmitPatra

Comment