ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୩୦ ତାରିଖ ଦିନ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହି ମେଗା ଇଭେଣ୍ଟ ପୂର୍ବରୁ ମଙ୍ଗଳବାର ଦିନ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ମେକଇନ ଓଡ଼ିଶା କନକ୍ଲେଭ-୨୦୨୨ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଅଂଶ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ କରିସାରିଛନ୍ତି। ଏହି କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେବାକୁ ଥିବାବେଳେ ଏଥିପାଇଁ ୩୮ଟି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି।

ରାଜ୍ୟ ସରକାରଙ୍କ ଏକ ବୃହତ ତଥା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ୨୨ଟି ବିଭାଗ କାର୍ଯ୍ୟଭାର ଗ୍ରହଣ କରିଥିବା ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ସେକ୍ଟରାଲ୍ ଅଧିବେଶନ, ଅଂଶ ଗ୍ରହଣକାରୀ, ବକ୍ତାଙ୍କ ତାଲିକା ସମ୍ବନ୍ଧୀୟ ସମସ୍ତ ବିବରଣୀ MIO ପୋର୍ଟାଲରେ ଉପଲବ୍ଧ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ତିନିମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଏମ୍ବାଟୁର, ଜାମସେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ତଥା ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇରେ ସମ୍ମିଳନୀ କରି ନିବେଶକମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି। ଏହା ସହିତ ବିଭିନ୍ନ ରୋଡ ସୋ’ କରି ବିପୁଳ ମାତ୍ରାରେ ସକାରାତ୍ମକ ପ୍ରତିକ୍ରିୟା ପାଇଛନ୍ତି।

ଏହି କନକ୍ଲେଭରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ ଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ସଜନ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନଙ୍କ ସମେତ ଜାପାନ, ନରୱେ ଏବଂ ଜର୍ମାନୀର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଦେଶ ବିଦେଶରୁ ପୁଞ୍ଜି ନିବେଶ ଏବଂ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାରଙ୍କ ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ ଇନ ଓଡ଼ିଶା କନକ୍ଲେଭ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭର ତୃତୀୟ ସଂସ୍କରଣରେ ଯୋଗ ଦେବା ଲାଗି ଦେଶ ବିଦେଶର ନିବେଶକାରୀଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #MakeinOdishaConclave #InvestOdisha #OdishaStartup #OdishaInvestorsMeet #MIO2022 #PressMeet #PratapDeb

Comment