ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ଉଷ୍ମ ହେଉଛି। ପଦ୍ମପୁରରେ ଏବେ ଚାଲିଛି ଆରୋପ ପ୍ରତ୍ୟାରୋପର ରାଜନୀତି। “ବିଜେପି ମୋ ବିରୋଧରେ ଅପପ୍ରଚାର କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି” ଏହିଭଳି ଅଭିଯୋଗ ଆଣିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା।

ବର୍ଷା ସିଂ ବରିହା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ତାଙ୍କ ବିବାହକୁ ନେଇ ବିଜେପି ପକ୍ଷରୁ ବିଭିନ୍ନ ଆଲୋଚନା କରାଯାଉଛି। ତାଙ୍କ ବିରୋଧରେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଅପପ୍ରଚାର କରାଯାଉଛି। ଆଗରୁ ଏପରି କରାଯାଉନଥିଲା, କିନ୍ତୁ ଯେବେଠାରୁ ସେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ହୋଇଛନ୍ତି ତାଙ୍କ ନାଁ ଅପପ୍ରଚାର ଆରମ୍ଭ କରାଯାଇଛି। ଏହା ତାଙ୍କୁ ମାନସିକ ସ୍ତରରେ ଭୀଷଣ ଆଘାତ ଦେଇଛି ବୋଲି ବର୍ଷା କହିଛନ୍ତି।

ବିଜେପି କର୍ମୀମାନେ ଯେଉଁଭଳି ଭାବେ ତାଙ୍କୁ ନେଇ ଅପପ୍ରଚାର କରୁଛନ୍ତି ଏହା ନାରୀମାନଙ୍କ ପ୍ରତି କେତେ ସମ୍ମାନ ଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରଶ୍ନ କରିଛନ୍ତି ବର୍ଷା ବରିହା।

ସେ ଆହୁରି ମଧ୍ୟ କହିଛନ୍ତି, “ଆପଣମାନଙ୍କ ଘରେ ମୋରି ଭଳି ଝିଅ ଏବଂ ଭଉଣୀ ବି ଥିବେ ସେମାନଙ୍କୁ କ’ଣ ଏଭଳି ସମ୍ମାନ କରୁଛନ୍ତି? ମୋର ଅପପ୍ରଚାର କେବଳ ମୋ ମନକୁ ଆଘାତ କରିନାହିଁ, ବରଂ ପଶ୍ଚିମ ଓଡ଼ିଶା ଓ ଭାରତର ସଂସ୍କୃତି ତଥା ପରମ୍ପରାକୁ ଅପମାନିତ କରୁଛି। ପଦ୍ମପୁର ମୋର ଜନ୍ମମାଟି। ଯିଏ ଯାହା କହିଲେବି ମୁଁ ଏ ମାଟିରେ ରହିବି, ଲୋକଙ୍କର ସେବା କରିବି।”

କିଛି ଦିନ ପୂର୍ବରୁ ବର୍ଷା ପଦ୍ମପୁର ନୁହଁନ୍ତି, ନିର୍ବାଚନ ସରିଯିବା ପରେ ସେ ପଦ୍ମପୁର ମାଟି ଛାଡ଼ି ଦେବେ ବୋଲି ବିଜେପିର କିଛି ନେତା କହିଥିଲେ। ଏହାକୁ ନେଇ ପୂର୍ବରୁ ବର୍ଷା ଉତ୍ତର ଦେଇଥିଲେ ମଧ୍ୟ ଆଜି ସେ ଫେସବୁକ୍ ଆକାଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି।

Tags: #Politics #OdishaPolitics #PadampurPolitics #PadampurByElection #BJD #BJP #BarshaSinghBariha

Comment