ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୩ ମସିହାରେ ପଦ୍ମପୁର ବାସୀଙ୍କ ସ୍ଵପ୍ନ ପୂରଣ ହେବ ବୋଲି ଶୁକ୍ରବାର ଦିନ ପଦ୍ମପୁର ମାଟିରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଦ୍ମପୁର ଉପନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ପାଇଁ ପ୍ରଚାର କରିବାକୁ ଆଜି ପଦ୍ମପୁରରେ ପହଞ୍ଚିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ ଦେବା ଲାଗି ପଦ୍ମପୁର ଭୋଟରଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ।

ନିର୍ବାଚନୀ ସଭାରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୩ ମସିହାରେ ପଦ୍ମପୁର ବାସୀଙ୍କ ସ୍ଵପ୍ନ ସାକାର ହେବାକୁ ଯାଉଛି। ଦୀର୍ଘ ବର୍ଷ ହେଲା ପଦ୍ମପୁର ଜିଲ୍ଲାବାସୀ ଯେଉଁ ଦାବି କରିଆସୁଥିଲେ ତାହା ପୂରଣ ହେବାକୁ ଯାଉଛି। ପଦ୍ମପୁରକୁ ୨୦୨୩ରେ ଜିଲ୍ଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ଏହି ଅବସରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଠିବା ପରେ ଚାଷୀଙ୍କୁ ଏହି ସବସିଡି ପ୍ରଦାନ କରାଯିବ।

Tags: #Politics #OdishaPolitics #PadampurByElection #CMOdisha #NaveenPatnaik #BJD #Campaign #Jharbandh

Comment